ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସିଗଲା ଗ୍ରୀଷ୍ମ ଋତୁ । ପ୍ରଚଣ୍ଡ ଖରା ସହ ଅସହ୍ୟ ତାତି । ଦିନ ୧୦ ଟାରେ ବି ଟାଣ ଖରା ଯୋଗୁଁ ଘରୁ ବାହାରିବା ଅସହ୍ୟ ହୋଇଯାଏ ।ଓଡ଼ିଶାରେ ଅନେକ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ଦେଖିବାକୁ ମିଳିଛି । ଅସହ୍ୟ ଖରା ଯୋଗୁଁ ଦେହର ଜଳୀୟ ଅଂଶ କମିଯିବା ସହ ଅଂଶୁଘାତ ଭଳି ରୋଗ ଦେଖାଯାଏ । ସାମାନ୍ୟ ଅସାବଧାନତା ମନୁଷ୍ୟ ମୃତ୍ୟୁମୁଖରେ ପଡିପାରେ । ତେବେ ଜାଣନ୍ତୁ ଏହି ଦିନରେ କିପରି ବର୍ତ୍ତିବେ ଅଂଶୁଘାତରୁ ।
ଖରାରେ ବାହାରକୁ ନ ବାହାରିବା ସବୁଠୁ ଭଲ । ହେଲେ ଯଦି କୌଣସି କାମରେ ଆପଣ ଖରାରେ ଘର ବାହାରକୁ ଯାଉଥାନ୍ତି, ତା’ହାଲେ ସତର୍କତା ଅବଲମ୍ୱନ କଲେ ଆସିବାକୁ ଥିବା ବିପଦକୁ ଏଡ଼ାଇ ପାରିବେ । ଖରା ଦିନେ ଅଂଶୁଘାତରୁ ନିଜେ ରକ୍ଷା ପାଇବା ସହ ଅନ୍ୟମାନଙ୍କୁ ମଧ୍ୟ ରକ୍ଷା କରିପାରିବ ।
ଖରାଦିନେ କିପରି ସତର୍କତା ଅବଲମ୍ବନ କରିବେ…..
- ଅତି ଜରୁରୀ ନଥିଲେ ଦିନ ୧୦ ପରେ ଟାଣ ଖରାରେ ଘରୁ ବାହାରକୁ ବାହାରନ୍ତୁ ନାହିଁ ।
- ଯଦି ବାହାରକୁ ଯିବାକୁ ପଡେ ତେବେ ସାଥିରେ ପାଣି ବୋତଲ ନିଅନ୍ତୁ । ହାଲ୍କା, ଫିକା, ଢିଲା ସୂତା ପୋଷାକ ପିନ୍ଧନ୍ତୁ । ଛତା, ଓଦା ଗାମୁଛା ମଧ୍ୟ ସାଥିରେ ନିଅନ୍ତି ।
- ପ୍ରଚୁର ପାଣି ପିଅନ୍ତୁ ।
- ଓ.ଆର.ଏସ୍ ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା, ଲସି, ଘୋଳ ଦହି, ତୋରାଣି, ଲେମ୍ବୁ ପାଣି ଇତ୍ୟାଦି ପ୍ରଚୁର ପରିମାଣରେ ପିଅନ୍ତୁ ।
- ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ ।
- ଛୋଟ ପିଲାଙ୍କୁ ଖରାରେ ବାହାରକୁ ଖେଳିବାକୁ ଛାଡ଼ନ୍ତୁ ନାହିଁ ।
- ଯଦି ଆପଣ ଛୋଟ ପିଲାଙ୍କୁ ବାହାରକୁ ନେଇକି ଯାଉଛନ୍ତି, ତା’ହେଲେ ସେମାନଙ୍କୁ ଫୁଲ୍ ପୋଷାକ, ମୁଣ୍ଡରେ ଟୋପି ପିନ୍ଧାନ୍ତୁ ।
- ସବୁବେଳେ ପିଲାଙ୍କୁ ପାଣି ପିଇବାକୁ ଦିଅନ୍ତୁ । ପେଟ କେବେ ଖାଲି ରଖିବାକୁ ଦିଅନ୍ତୁ ନାହିଁ ।
- ବୟସ୍କ ବ୍ୟକ୍ତି ଖରାରେ ଘରୁ ବାହାରନ୍ତୁ ନାହିଁ । ଅତି ଆବଶ୍ୟକ ପଡ଼ିଲେ ବାହାରକୁ ଗଲେ ମୁଣ୍ଡରେ ଓଦା କପଡ଼ା ଏବଂ ପାଦରେ ଜୋତା ପିନ୍ଧନ୍ତୁ ।
ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଚିକିତ୍ସା କିପରି କରିବେ
- ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କୁ ଏକାବେଳକେ ଅତ୍ୟଧିକ ପାଣି ପିଇବାକୁ ଦିଅନ୍ତୁ ନାହିଁ ।
- ଅଂଶୁଘାତରେ ପୀଡ଼ିତ ବ୍ୟକ୍ତି ସୁସ୍ଥ ହେବା ପର୍ଯ୍ୟନ୍ତ ପ୍ରତି ଅଧଘଣ୍ଟାରେ ଅଧା ଗ୍ଲାସ୍ ଓଆର୍ସ୍ ପାଣି ପିଇବାକୁ ଦେବା ଉଚିତ୍ ।
- ଅଂଶୁଘାତରେ ପୀଡ଼ିତ ବ୍ୟକ୍ତିଙ୍କ ଶରୀର ଉତ୍ତାପକୁ କମାଇବା ପାଇଁ ଥଣ୍ଡା ଓ ଛାଇ ସ୍ଥାନରେ ଶୁଆଇ ରଖି ପ୍ରଥମେ ଓଦା କନାରେ ତାଙ୍କୁ ପୋଛିଦିଅନ୍ତୁ । ଆବଶ୍ୟକ ହେଲେ ମୁଣ୍ଡରେ ଥଣ୍ଡାପାଣି ଢାଳନ୍ତୁ ।
ଗୃହପାଳିତ ପଶୁ ପକ୍ଷୀଙ୍କ ପାଇଁ ସତର୍କତା…
ଅଂଶୁଘାତରେ କେବଳ ମଣିଷ ନୁହେଁ ପଶୁପକ୍ଷୀ ମଧ୍ୟ ବେଶୀ ଆକ୍ରାନ୍ତ ହୋଇଥାନ୍ତି । ତେଣୁ ସେମାନଙ୍କ ଯତ୍ନ ନେବା ମଧ୍ୟ ମଣିଷର କାମ ଅଟେ ।
- ଗୃହପାଳିତ ପଶୁଙ୍କ ପାଖରେ ସବୁବେଳେ ପାଣି ଏବଂ ଖାଦ୍ୟ ରଖନ୍ତୁ।
- ସେମାନଙ୍କୁ ବାହାରକୁ ଖରାରେ ଚରାଇବାକୁ ନିଅନ୍ତୁ ନାହିଁ।
- ବାହାର ପଶୁପକ୍ଷୀମାନଙ୍କ ପାଇଁ ଛାତ ଉପରେ ବା ଗଛ ମୂଳରେ ପାଣିର ବ୍ୟବସ୍ଥା କରନ୍ତୁ।