ସନ୍ଷ୍ଟାର ଟିଭି ବ୍ୟୁରୋ
ପାଟନା: ନୀତିଶ ଆଜି ବିହାରର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ପାଇଁ ଶପଥ ପାଠ କରିବେ ଏବଂ ଲଗାତାର ମୁଖ୍ୟମନ୍ତ୍ରୀ ହେବାରେ ଏହା ତାଙ୍କର ଚତୁର୍ଥ ପାଳି ହେବ। ତେବେ ନିର୍ବାଚନରେ ଜେଡିୟୁ ଅପେକ୍ଷା ବିଜେପି ଅଧିକ ଆସନରେ ବିଜୟ ହାସଲ କରିଥିବାରୁ ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ଦିଆଯିବ, ସେ ନେଇ ଦ୍ବନ୍ଦ୍ବ ଉପୁଜିଛି। ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦୀ ହେବେ ବୋଲି ଜଣା ପଡ଼ିଥିବା ବେଳେ ଏବେ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ମିଳିବ ନାହିଁ ବୋଲି ଜଣା ପଡ଼ିଛି।
ତେବେ ଚର୍ଚ୍ଚା ହେଉଛି ଯେ, ନିର୍ବାଚନରେ ବିଜେପି ୭୪ ଏବଂ ଜେଡିୟୁ ୪୩ ଆସନରୁ ବିଜୟୀ ହୋଇଥିବାରୁ ଏଥର ବିହାର ସରକାରରେ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ। ବିଜେପିର ବରିଷ୍ଠ ବିଧାୟକ ତାରକିଶୋର ପ୍ରସାଦ ଏବଂ ରେନୁ ଦେବୀ ବିଜେପି ବିଧାନସଭା ଦଳର ନେତା ତଥା ଡେପୁଟି ନେତା ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ଦୁଇ ବିଜେପି ନେତାଙ୍କୁ ବିହାର ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିହାରରେ ଉପମୁଖ୍ୟମନ୍ତ୍ରୀ ପଦ କାହାକୁ ମିଳୁଛି, ତାହା ଦେଖିବାକୁ ବାକି ରହିଲା।