ସନ୍ଷ୍ଟାର ଟିଭି ବ୍ୟୁରୋ
୮ ମାସ ହେବ କରୋନା ମହାମାରୀ ପାଇଁ ସମସ୍ତ ଜନଗହଳି ସ୍ଥାନ ବନ୍ଦ ହୋଇଥିଲା ବେଳେ ବର୍ତ୍ତମାନ ଏହା ସ୍ବଭାବିକ ହେବାକୁ ଯାଉଛି । ଆସନ୍ତାକାଲିଠାରୁ ମହାରାଷ୍ଟ୍ରରେ ଖୋଲିବାକୁ ଯାଉଛି ସମସ୍ତ ଧାର୍ମିକ ସ୍ଥଳ । ଶ୍ରଦ୍ଧାଳୁ ଧର୍ମାନୁଷ୍ଠାନ ଯାଇ ପୂଜାର୍ଚ୍ଚନା କରିପାରିବେ । ଏନେଇ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି । କୋଭିଡ ନିୟମ ପାଳନ ସହ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସମସ୍ତ ଧାର୍ମିକ ସ୍ଥଳ ପାଇଁ ଗୋଟିଏ ନିୟମ ଲାଗୁ ହେବ । ନିୟମିତ ସାନିଟାଇଜେସନ, ସାମାଜିକ ଦୂରତା ରକ୍ଷା କରାଯିବ ।
ଗତ ସପ୍ତାହରେ ମହାରାଷ୍ଟ୍ର ରାଜ୍ୟ ସରକାର ଉଦ୍ଧବ ଥାକରେ ରାଜ୍ୟରେ ଦୀପାବଳି ପରେ ଧର୍ମାନୁଷ୍ଠାନ ଓ ନବମରୁ ଦ୍ବାଦଶ ଶ୍ରେଣୀ ଯାଏଁ ସ୍କୁଲ ଖୋଲିବା ନେଇ ଘୋଷଣା କରିଥିଲେ ।
କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଜୁନ୍ ୮ ତାରିଖରୁ ଭାରତରେ ଧାର୍ମିକ ସ୍ଥଳ ଖୋଲିବାକୁ ଅନୁମତି ଦେଇଥିବା ବେଳେ ମହାରାଷ୍ଟ୍ର ସରକାର ଏହା ବିରୋଧରେ ନିଷ୍ପତ୍ତି ନେଇଥିଲେ। ରାଜ୍ୟରେ କରୋନା ସଂକ୍ରମଣର ସ୍ଥିତିକୁ ଆଖି ଆଗରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିଲା ବେଳେ ଏହାର ପ୍ରତିବାଦ ମଧ୍ୟ ହୋଇଥିଲା।
ମନ୍ଦିର ଖୋଲିବାକୁ ବିଜେପି ଏବଂ ସାଧୁସନ୍ଥମାନମାନେ କ୍ରମାଗତ ଭାବରେ ଦାବି କରିଆସୁଥିଲେ। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମନ୍ଦିର ଅର୍ଥନୀତିର କ୍ଷତି ଉପରେ ଆଲୋକପାତ କରିଥିଲେ। ଏପରିକି ମହାରାଷ୍ଟ୍ର ରାଜ୍ୟପାଳ ବି ଧାର୍ମିକସ୍ଥଳ ଖୋଲିବା ଲାଗି ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।