ସନ୍ଷ୍ଟାର ଟିଭି ବ୍ୟୁରୋ
କୋଲକାତା: ପଶ୍ଚିମବଙ୍ଗର କୋଲକାତାରେ ଥିବା ପୂର୍ବ ରେଳପଥ କାର୍ଯ୍ୟାଳୟରେ ଗତକାଲି ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଏବେ ସୁଦ୍ଧା ୯ ଜଣଙ୍କର ମୃତ୍ୟୁ ଘଟି ସାରିଲାଣି । ଏହି ଅଗ୍ନିକାଣ୍ଡରେ ୪ ଜଣ ଅଗ୍ନିଶମ କର୍ମଚାରୀ, ଦୁଇ ଜଣ ଆରପିଏଫ୍ ଯବାନ ଏବଂ ଜଣେ କୋଲକାତା ପୁଲିସ୍ ଏଏସଆଇଙ୍କର ମୃତ୍ୟୁ ଘଟିଥିଲା । ପରେ ଆଉ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁସାରେ, ଗତକାଲି ରାତିରେ ହଠାତ୍ ପୂର୍ବ ରେଳପଥ କାର୍ଯ୍ୟାଳୟର ୧୩ତମ ମହଲାରେ ନିଆଁ ଲାଗି ଯାଇଥିଲା । ସନ୍ଧ୍ୟା ୬ଟା ୧୦ରେ ଅଗ୍ନିକାଣ୍ଡ ସମ୍ପର୍କରେ କୋଲକାତା ପୁଲିସକୁ ପ୍ରଥମେ ସୂଚନା ଦିଆଯାଇଥିଲା । ପୁଲିସକୁ ସୂଚନା ମିଳିବା ପରେ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କାର୍ଯ୍ୟ ଜାରି ରଖିଥିଲା । ଏଭଳି ହଠାତ ନିଆଁ ଲାଗିବା ପଛର କାରଣ କ’ଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।
ତେବେ ଏହି ଅଗ୍ନିକାଣ୍ଡ କାରଣରୁ କୋଲକାତା ପାସେଞ୍ଜର ରିଜର୍ଭେସନ ସର୍ଭିସ୍ ର ସର୍ଭର ବନ୍ଦ ହୋଇଯାଇଛି । ଯାହା ଫଳରେ ଅନ୍ଲାଇନ ଟିକେଟ ବୁକିଂ ପ୍ରଭାବିତ ହୋଇଛି ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ରାତିରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ସେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ସହ ସେମାନଙ୍କ ପରିବାରରୁ ଜଣଙ୍କୁ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ଏହି ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।
ତେବେ ଏହି ଘଟଣାକୁ ନେଇ ରେଳମନ୍ତ୍ରୀ ପିୟୁଷ ଗୋୟଲ ଦୁଃଖ ପ୍ରକାଶ କରିଛନ୍ତି ଓ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡର କାରଣ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ବୋଲି ସେ କହିଛନ୍ତି ।