ସନ୍ଷ୍ଚାର ଟିଭି ବ୍ୟୁରୋ
ଆଜି ବିଶ୍ଵ ବ୍ୟାପି ପାଳନ କରାଯାଉଛି ଆନ୍ତର୍ଜାତୀୟ ମହିଳା ଦିବସ । ମହିଳାଙ୍କୁ ସମ୍ମାନ ତଥା ଆର୍ଥିକ, ରାଜନୈତିକ, ସାମାଜିକ ତଥା ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଯୋଗଦାନ ବଢ଼ାଇବା ଓ ତାଙ୍କୁ ନିଜର ଅଧିକାର ପ୍ରତି ସଚେତନ କରିବା ଏହାର ମୂଳ ଉଦ୍ଦେଶ୍ୟ। ପ୍ରତିବର୍ଷ ଏହି ଦିବସ ପାଇଁ ଏକ ସ୍ୱତନ୍ତ୍ର ଥିମ୍ ରହିଥାଏ । ତେବେ ଚଳିତ ବର୍ଷର ଥିମ ରହିଛି #ChooseToChallege ।
ତେବେ ଜାଣନ୍ତୁ କାହିଁକି ଏହି ଦିନ ପାଳନ କରାଯାଏ ଆନ୍ତର୍ଜାତୀୟ ମହିଳା ଦିବସ
ଏହି ଦିବସ ସର୍ବପ୍ରଥମେ ଆମେରିକାର ଏକ ସମାଜବାଦୀ ପାର୍ଟିର ଆହ୍ୱାନ କ୍ରମେ ୨୮ ଫେବୃଆରୀ ୧୯୦୯ ରେ ଏହି ଦିନକୁ ପାଳନ କରାଯାଉଥିଲା । ତେବେ ଏହା କେବଳ ଆମେରିକାରେ ହିଁ ସୀମିତ ଥିଲା, ଅନ୍ୟ କୌଣସି ଦେଶ ଏହି ଦିବସକୁ ପାଳନ କରୁନଥିଲେ । ପରେ କୋପେନହେଗନରେ ଏକ ମହିଳା ସମ୍ମିଳନୀରେ ୧୯୧୦ ମସିହାରେ ଏହି ଦିବସକୁ ମାନ୍ୟତା ମିଳିଥିଲା । ମହିଳାମାନଙ୍କୁ ଭୋଟର ଅଧିକାର ଦେବା ଏହାର ମୂଳ ଉଦ୍ଦେଶ୍ୟ ଥିଲା । କାରଣ ସେତେବେଳେ ଅଧିକାଂଶ ଦେଶରେ ମହିଳାମାନଙ୍କୁ ଭୋଟ୍ ଦେବାର ଅଧିକାର ନଥିଲା ।
ପରେ ୧୯୧୭ ମସିହାରେ, ସୋଭିଏତ୍ ୟୁନିଅନ୍ ଏହି ଦିନକୁ ଜାତୀୟ ଛୁଟିଦିନ ଭାବରେ ଘୋଷଣା କଲା । ଧୀରେ ଧୀରେ ଏହି ଦିନ ପାଳନ କରିବାର ପରମ୍ପରା ବିଶ୍ୱର ଅନ୍ୟ ଦେଶରେ ମଧ୍ୟ ବ୍ୟାପିଗଲା । ଏବେ ଅନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଅଫିସ, ଘର ସବୁଠି ବିଶେଷ ସୁବିଧା ଦିଆଯାଏ। କିଛି ଅଫିସରେ ମହିଳାମାନଙ୍କୁ ମହିଳା ଦିବସରେ ଛୁଟି ଦିଆଯାଏ ତ ଆଉ କେଉଁଠି ଅଧାଦିନ କାର୍ଯ୍ୟ କରିବାକୁ ଦିଆଯାଏ ।