ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ହେଉଛି ନୂତନ ଓଡ଼ିଶା ନିର୍ମାତା, ପ୍ରବାଦ ପୁରୁଷ, ଓଡ଼ିଆ ସ୍ଵାଭିମାନର ପ୍ରତୀକ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜନ୍ମ ବାର୍ଷିକୀ । ତେବେ ଏହି ଅବସରରେ ବିଜୁ ପଟ୍ଟନାୟକଙ୍କ ସୁଯୋଗ୍ୟ ସନ୍ତାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ନିକଟରେ ବିଭିନ୍ନ ସରକାରୀ ସେବା ପହଞ୍ଚାଇବା ପାଇଁ ‘ମୋ ସେବା କେନ୍ଦ୍ର’ ଓ ‘ଓଡ଼ିଶା ୱାନ୍’ ପୋର୍ଟାଲର ଲୋକାର୍ପଣ କରିଛନ୍ତି । ଏହା ମାଧ୍ୟମରେ ପ୍ରତି ଗ୍ରାମ ପଞ୍ଚାୟତ ଓ ସହରାଞ୍ଚଳରେ ସ୍ଥାପନ ହେବାକୁ ଥିବା ‘ମୋ ସେବା କେନ୍ଦ୍ର’ରେ ଲୋକମାନେ ବିଭିନ୍ନ ସରକାରୀ ସେବା ପାଇପାରିବେ ।
5T ଉପକ୍ରମ ଅନୁଯାୟୀ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅବସରରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସେବା ଓ ସମ୍ମାନ ହେଉଛି ତାଙ୍କ ସରକାରର ମୂଳମନ୍ତ୍ର। ଗଣତନ୍ତ୍ରରେ ଲୋକ ହେଉଛନ୍ତି ମାଲିକ । ଲୋକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ସମ୍ମାନର ସହ ସେବା ଯୋଗାଇଦେବା ସହିତ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଆଗାମୀ ଦିନରେ ରାଜ୍ୟର ସବୁ ପଞ୍ଚାୟତରେ ଗୋଟିଏ ଗୋଟିଏ ମୋ ସେବାକେନ୍ଦ୍ର ଖୋଲାଯିବ । ଏହାଦ୍ୱାରା ୮୦୦୦ ଯୁବକ ଯୁବତୀ ଆତ୍ମ ନିଯୁକ୍ତିର ସୁଯୋଗ ପାଇବେ । ସେହିପରି ସହରବାସୀ ତଥା କମ୍ପୁଟର ଜାଣିଥିବା ଲୋକମାନଙ୍କ ପାଇଁ ଓଡ଼ିଶାଓ୍ୱାନ୍ ପୋର୍ଟାଲ ସେବା ଯୋଗାଇବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।