ସନ୍ଷ୍ଟାର ଟିଭି ବ୍ୟୁରୋ
ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏହି ବିସ୍ପୋରଣରେ ତିନି ଯବାନ ସହିଦ ହୋଇଥିବା ବେଳେ ଦୁଇ ଯବାନ ଗୁରୁତର ହୋଇଛନ୍ତି । ତେବେ ସେହି ସହିଦ ଯବାନମାନେ ହେଲେ ଦେବେନ୍ଦ୍ର କୁମାର ପଣ୍ଡିତ, ହରଦ୍ବାର ଶାହା ଓ କିରଣ ସୁରିନ୍ ଓ ଗୁରୁତର ହେଲେ ଦୀପ ଟପ୍ନୋ ଓ ନିକୁ ଓରାମ । ତେବେ ସୂଚନା ଅନୁସାରେ ଆଜି ସକାଳେ କିଛି ନକ୍ସଲ ସରଣ୍ଡା ନିକଟ ଲାଞ୍ଜି ଜଙ୍ଗଲରେ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିବାର ସ୍ଥାନୀୟ ପୁଲିସକୁ ସୂଚନା ମିଳିଥିଲା ।
ଏହି ସୂଚନା ପାଇବା ପରେ ସିଆର୍ପିଏଫ୍ ଯବାନ ଓ ପୁଲିସ ମିଳିତ ହୋଇ ଲାଞ୍ଜି ଜଙ୍ଗଲକୁ ଘେରାବନ୍ଦୀ କରି କୁମ୍ବିଂ ଅପରେସନ୍ ଆରମ୍ଭ କରିଥିଲେ । ନକ୍ସଲମାନେ ସେଠାରୁ ଖସିଯିବାକୁ ଯବାନଙ୍କ ଉପରୁ ଗୁଳି ଚାଳନା କରିଥିଲେ । ପାଲଟା ଜବାବରେ ଯବାନମାନେ ମଧ୍ୟ ଗୁଳି ଚାଳନା କରିଥିଲେ । ପ୍ରାୟ ଅଧଘଣ୍ଟା ଧରି ଉଭୟପଟୁ ଗୁଳି ଚାଳନା ଚାଲିଥିଲା । ଯବାନମାନେ ନକ୍ସଲମାନଙ୍କୁ କାବୁ କରିବାକୁ ଆଗକୁ ବଢ଼ୁଥିଲେ । ଯୋଜନା ମୁତାବକ ପୂର୍ବରୁ ନକ୍ସଲମାନେ ଖଞ୍ଜିଥିବା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା ।