ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଲିଉଡ୍ର ଚର୍ଚ୍ଚିତ ଯୋଡି ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁ ଗତକାଲି ବିବାହ କରିବା ପାଇଁ ଘୋଷଣା କରିବା ପରେ ଦର୍ଶକମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି । ଆଜି ରାଜସ୍ଥାନର ଏକ ଲଗ୍ଜୁରିଅସ୍ ରିସର୍ଟରେ ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ସାହୁଙ୍କ ବିବାହ କାର୍ଯ୍ୟକ୍ରମ ଚାଲିଥିବା ସୂଚନା ମିଳିଛି । ହିନ୍ଦୁ ଧର୍ମରେ ଅନେକ ରୀତି ନୀତି ଅନୁସାରେ ବିବାହ କରିବାକୁ ଯାଉଛନ୍ତି ସବ୍ୟ- ଅର୍ଚ୍ଚିତା । ବାହାଘର ପୂର୍ବରୁ ହଳଦୀ ଲଗାଇଥିବାର ନଜର ଆସିଛନ୍ତି ଦୁଇ ଯୋଡି । ତେବେ ବରବଧୂ ବେଶରେ ମଧ୍ୟ ନଜର ଆସିଛନ୍ତି ସେମାନେ । ମାତ୍ର ୩ ଘଣ୍ଟା ମଧ୍ୟରେ ସେହି ଫୋଟୋକୁ ୩୦ ହଜାରରୁ ଅଧିକ ଲାଇକ କରିଥିବା ଦେଖାଯାଇଛି ।
ବିବାହ ପୂର୍ବରୁ ଦୁହେଁ ସୋସିଆଲ୍ ମିଡିଆ ଫେସ୍ବୁକ୍ ଓ ଟ୍ୱିଟ୍ରରେ ଦୁହେଁ ନିଜ ମନର କଥା ଲେଖିଛନ୍ତି। ସବ୍ୟସାଚୀ ଓ ଅର୍ଚ୍ଚିତା ନିଜ ପ୍ରଶଂସକଙ୍କୁ ଟୁଇଟ୍ କରି କହିଛନ୍ତି, ଆପଣମାନେ ଆମର ଉଭୟ ଭଲ ଓ ଖରାପ ସମୟରେ ଆମ ଉପରେ ଆଶୀର୍ବାଦ ଢ଼ାଳି ଦେଇଛନ୍ତି। ଆଜିର ଏହି ଗୁରୁତ୍ବପୂର୍ଣ୍ଣ ଦିନରେ ଆପଣଙ୍କୁ କିଭଳି ଭୁଲିଯିବୁ ? ଜୀବନର ଏଇ ନୂତନ ଯାତ୍ରା ଆରମ୍ଭ କରୁଥିବା ବେଳେ ଆପଣମାନଙ୍କ ଶୁଭେଚ୍ଛା ଓ ଆଶୀର୍ବାଦ ଆମର ଏକାନ୍ତ କାମ୍ୟ ।
ନିଜ ଫଟୋ ପୋଷ୍ଟ କରି ଅର୍ଚ୍ଚିତା ଲେଖିଛନ୍ତି, ‘ସୁଖ ଓ ଦୁଃଖ ର ନାମ ଜୀବନ। ଅନେକ ଥର ଲାଗେ, ସବୁକିଛି ସରିଗଲା । ହେଲେ ଭଗବାନ ସବୁବେଳେ ନିଷ୍ଠୁର ହୁଅନ୍ତି ନାହିଁ। ବୋଧେ ସେଇଥିପାଇଁ ମତେ ଏମିତି ଏକ ଜୀବନସାଥି ମିଲିପାରିଲା। ଆପଣଙ୍କ ଆଶୀର୍ବାଦ ଆଉ ଭଲପାଇବା ଆମର ସବୁ ଯାତ୍ରାକୁ ସଫଳ କରିବ । ଆସନ୍ତାକାଲି ଆମର ବାହାଘର । ଆମପାଇଁ ନିଶ୍ଚୟ ଠାକୁରଙ୍କୁ ଡାକିବେ ।’
ସୂଚନାଯୋଗ୍ୟ, ସବ୍ୟସାଚୀ ୨୦୦୭ରୁ ‘ପାଗଳପ୍ରେମୀ’ ଚଳଚ୍ଚିତ୍ର ମାଧ୍ୟମରେ ଓଲିଉଡ୍ରେ ଏଣ୍ଟ୍ରି କରିଥିବା ବେଳେ ଅର୍ଚ୍ଚିତା ୨୦୦୫ରେ ‘ଓ ମାଇଁ ଲଭ୍’ରେ ପ୍ରଥମଥର ପାଇଁ ନଜର ଆସିଥିଲେ । ସବ୍ୟସାଚୀ ଏଯାବତ ୩୭ରୁ ଅଧିକ ସିନେମାରେ ଏବଂ ଅର୍ଚ୍ଚିତା ୪୦ରୁ ଅଧିକ ଫିଲ୍ମରେ କାମ କରି ସାରିଛନ୍ତି । ସପନର ସୌଦାଗର, ବାଏ ବାଏ ଦୁବାଇ, ମୁଁ ଏକା ତୁମର, ପିଲାଟା ବିଗିଡିଗଲା, ହେଲା ମତେ ପ୍ରେମ ଜର ପରି ଅନେକ ଫିଲ୍ମରେ ଏକାଠି ନଜର ଆସିଛନ୍ତି ସବ୍ୟସାଚୀ ଓ ଅର୍ଚ୍ଚିତା । ତେବେ କରୋନା ସମୟରେ ସବ୍ୟଙ୍କ ସାହାଯ୍ୟ ଓ ସହଯୋଗ ପାଇଁ କେବଳ ଓଡ଼ିଶା ନୁହେଁ ସାରା ଭାରତରେ ସେ ଖୁବ୍ ପ୍ରଶଂସିତ ହୋଇଥିଲେ ।