ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ଆଜି ବନ୍ଦ ରହିବ ସାରା ଭାରତ । ଜିଏସଟି ବ୍ୟବସ୍ଥାକୁ ସରଳ କରିବା ଦାବି ନେଇ ଓ ଜିଏସଟି ଅଧିକାରୀଙ୍କ ଏକଚାଟିଆ ମନୋଭାବକୁ ବିରୋଧ ପ୍ରତିବାଦରେ ଦେଶର ବ୍ୟବସାୟୀ ସଂଗଠନ, କନଫେଡେରେଶନ ଅଫ ଅଲ ଇଣ୍ଡିଆ ଟ୍ରେଡର୍ସ(CAIT) ଆଜି ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି । ସକାଳ ୬ ଟାରୁ ରାତି ୬ ଯାଏଁ ଦେଶର ସମସ୍ତ ଦୋକାନ ବଜାର ବନ୍ଦ ରହିବ । ତେବେ ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ ଦିଆଯାଇଛି ।
ତେବେ ଅପ୍ରିତିକର ପରିସ୍ଥିତିକୁ ସାମ୍ନା କରିବା ପାଇଁ ଭୁବନେଶ୍ୱର ଓ ଏହାର ଉପକଣ୍ଠ ପାଇଁ ୨୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ବ୍ୟବସ୍ଥା କରାଯାଇଛି । ସହରର ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ ଏସିପି ଓ ଇନ୍ସପେକ୍ଟରମାନେ ମୁତୟନ ହୋଇଛନ୍ତି। ତା’ଛଡା ବିଧାନସଭା ଏବଂ ଲୋକସେବା ଭବନ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଲୋକଙ୍କ ଯାତାୟାତରେ କୌଣସି ବାଧା ଦେବନି ବ୍ୟବସାୟୀ ସଂଘ । ହେଲେ କୌଣସି ଦୋକାନ ବଜାର ଖୋଲିବ ନାହିଁ ।
ତେବେ ବ୍ୟବସାୟୀ ସଙ୍ଗଠନ ସୂଚନା ଅନୁସାରେ ଏହି ଭାରତବନ୍ଦକୁ ଦେଶର ପ୍ରାୟ ୪୦ ହଜାରରୁ ଅଧିକ ବ୍ୟବସାୟୀକ ସଂସ୍ଥା ସମର୍ଥନ ଜଣାଇଛନ୍ତି । ଦେଶରେ ଜିଏସଟି ଲାଗୁ ହେବା ପରେ ସଠିକ ଭାବେ କାର୍ଯ୍ୟକାରିତା କରାଯାଉନାହିଁ । ଏଥିସହ ଜିଏସଟି ସରଳୀକରଣ ପାଇଁ ବ୍ୟବସାୟୀମାନେ ବାରମ୍ବାର ଦାବି କରିବା ସତ୍ତ୍ବେ ସରକାର ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ସରକାର ଜିଏସଟିକୁ ସାରା ଦେଶରେ କାର୍ଯ୍ୟକାରୀ କରିବାକୁ ଏହାକୁ ୯୬୦ ଥର ସଂଶୋଧନ କରିଥିଲେ ବୋଲି କହିଛନ୍ତି ବ୍ୟବସାୟୀ ସଂଘ ।