ସନ୍ଷ୍ଟାର ଟିଭି ବ୍ୟୁରୋ
ଚେନ୍ନାଇ: କରୋନା ମହାମାରୀରେ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ସ୍କୁଲ, କଲେଜ ଗୁଡିକୁ ବନ୍ଦ କରାଯାଇଥିଲା । ଅନଲାଇନରେ ପିଲାମାନଙ୍କୁ ପାଠ ପଢ଼ାଯାଉଥିଲେ ମଧ୍ୟ ଫୋନ ନଥିବା ପିଲାମାନେ ପାଠପଢ଼ାରୁ ବଞ୍ଚିିତ ହୋଇଥିଲେ । ସେଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏ.କେ ପଲାନିସ୍ୱାମୀ ଏକ ବଡ ଘୋଷଣା କରିଛନ୍ତି । ଏହି ଘୋଷଣା ମୂତାବକ,ପରୀକ୍ଷା ନ ଦେଇ ନବମ, ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହୋଇପାରିବେ ।
ସେ କହିଛନ୍ତି ଯେ, ବର୍ଷସାରା ଛାତ୍ରଛାତ୍ରୀମାନେ ରାଷ୍ଟ୍ରାୟତ୍ତ କଲଭି ଥୋଲାଇକଚି (ଶିକ୍ଷା ଟିଭି ଚ୍ୟାନେଲ) ମାଧ୍ୟମରେ ପାଠ ପଢ଼ିଥିଲେ । ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କ ଅସୁବିଧାକୁ ଧ୍ୟାନରେ ରଖି ସିଲାବସ୍ ହ୍ରାସ କରାଯାଇଥିଲା । କିନ୍ତୁ ସବୁ ପରେ ବି ଯେଉଁଭଳି ଭାବରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଯିବା କଥା, ତାହା ହୋଇପାରିନଥିଲା । ଏ ନେଇ ବିଶେଷଜ୍ଞଙ୍କ ମତାମତ ଏବଂ ଛାତ୍ରଛାତ୍ରୀମାନଙ୍କ ମାତା-ପିତାଙ୍କ ସହ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ତେବେ ଏହାକୁ ନେଇ ତାମିଲନାଡୁ ସରକାର ସମାଲୋଚନାର ଶିକାର ହୋଇଛନ୍ତି । ଘରୋଇ ସ୍କୁଲ ସଂଗଠନ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ ଶିକ୍ଷାକୁ ନେଇ ରାଜନୀତି ନ କରାଯାଉ । ସରକାରଙ୍କ ଏହି ନିଷ୍ପତି ପର ବର୍ଷର ଛାତ୍ରଛାତ୍ରୀଙ୍କୁ ଅଡୁଆରେ ପକାଇବ ।