ସନ୍ଷ୍ଟାର ଟିଭି ବ୍ୟୁରୋ
ମୋଟେରା : ବିଶ୍ବର ସର୍ବବୃହତ୍ କ୍ରିକେଟ୍ ଷ୍ଟାଡିୟମ୍, ଅହମ୍ମଦାବାଦର ମୋଟେରା ଷ୍ଟାଡିୟମ୍ରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଇଂଲଣ୍ଡ ପିଙ୍କ ବଲ ଟେଷ୍ଟ୍ ମ୍ୟାଚ । ଆଜି ୨.୩୦ରେ ଏହି ମ୍ୟାଚ୍ ଆରମ୍ଭ ହେବ । ପିଙ୍କ ବଲ୍ରେ ମ୍ୟାଚ ଖେଳିବାରେ ଇଂଲଣ୍ଡର ଅଧିକ ଅଭିଜ୍ଞ ଥିବାରୁ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ପାଇଁ କଠିନ ହୋଇପାରେ କିନ୍ତୁ ବିଶ୍ବ ଟେଷ୍ଟ୍ ଚାମ୍ପିଅନସିପ୍ (WTC) ର ଫାଇନାଲ୍ ଖେଳିବା ଲାଗି ଏହି ମ୍ୟାଚ୍ ସହ ଶୃଙ୍ଖଳାର ବଳକା ଦୁଇଟି ମ୍ୟାଚ୍ରେ ଅପରାଜୟ ରହି ଅନ୍ତତଃ ଗୋଟିକୁ ଜିତିବା ଭାରତ ପାଇଁ ନିହାତି ଦରକାର ।
ଅନ୍ୟପକ୍ଷରେ ଚାରି ଟିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜିତି ଚମତ୍କାର ଢଙ୍ଗରେ ଭାରତ ଗସ୍ତ ଆରମ୍ଭ କରିଥିବା ଇଂଲଣ୍ଡ ଦ୍ବିତୀୟ ମୁକାବିଲାକୁ ହାରିବା ପରେ ବିଜୟଧାରାକୁ ଫେରିବାକୁ ଆପ୍ରାଣ ଉଦ୍ୟମ କରିବ । ଭ୍ରମଣକାରୀ ଇଂଲଣ୍ଡ ମଧ୍ୟ ୨-୧ରେ ଆଗୁଆ ହୋଇ ଶେଷ ମ୍ୟାଚ୍ ପୂର୍ବରୁ ମନୋବଳ ବଢ଼ାଇପାରିବ ।
ଭାରତ ବିଜୟୀ ହେଲେ ବିଶ୍ବ ଟେଷ୍ଟ୍ ଚାମ୍ପିଅନ୍ସିପ୍ ଫାଇନାଲ୍ରେ ସ୍ଥାନ ପକ୍କା କରିବା ସହ ଶୃଙ୍ଖଳା ଜିତିବା ଲାଗି ଶେଷ ମ୍ୟାଚ୍କୁ କେବଳ ଅସୀମାଂସିତ ରଖିବାର ଆବଶ୍ୟକତା ରହିବ। ତେବେ ବିରାଟ କୋହଲି କହିଛନ୍ତି ଯେ ଆମେ ଗୋଟିଏ ମ୍ୟାଚ ଜିତି ଆଉ ଗୋଟିଏ ମ୍ୟାଚକୁ ଡ୍ର ରଖିବା କଥା ଭାବିନାହୁଁ । ଦୁଇଟି ଯାକ ମ୍ୟାଚ ଜିତିବା ପାଇଁ ଆମେ ଚେଷ୍ଟା କରିବୁ ।
ସମ୍ଭାବ୍ୟ ଭାରତ: ରୋହିତ ଶର୍ମା, ଶୁବମନ ଗିଲ୍, ଚେତେଶ୍ବର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷବ ପନ୍ତ, ରବିଚନ୍ଦ୍ରନ୍ ଅଶ୍ବିନ, ଅକ୍ଷର ପଟେଲ, ଈଶାନ୍ତ ଶର୍ମା, ଉମେଶ ଯାଦବ, ଯଶପ୍ରୀତ ବୁମ୍ରା ।
ସମ୍ଭାବ୍ୟ ଇଂଲଣ୍ଡ: ଡମ୍ ସିବ୍ଲେ, ଜ୍ୟାକ୍ କ୍ରଲି, ଜନି ବେୟାରଷ୍ଟୋ, ଜୋ ରୁଟ୍ (ଅଧିନାୟକ), ବେନ୍ ଷ୍ଟୋକ୍ସ, ଓଲି ପୋପ୍, ବେନ୍ ଫୋକ୍ସ, ଡମ୍ ବେସ୍/କ୍ରିସ୍ ଓକ୍ସ, ଜୋଫ୍ରା ଆର୍ଚର, ଜ୍ୟାକ୍ ଲିଚ୍, ଜେମ୍ସ ଆଣ୍ଡରସ ନ୍।