ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଆଜିର ଯୁବପିଢୀ ଟେକ୍ନୋଲୋଜୀର ବ୍ୟବହାର ଅଧିକ ମାତ୍ରାରେ କରିଥାନ୍ତି । ଏହି ଟେକ୍ନୋଲୋଜୀ ଅନେକମାତ୍ରାରେ ସାହାଯ୍ୟ କରୁଥିଲେ ମଧ୍ୟ ବେଳେ ବେଳେ ଆମେ ଏହା ପାଇଁ ହଇରାଣ ମଧ୍ୟ ହୋଇଥାଉ । ଯାତ୍ରା କଲାବେଳେ ଯଦି ବାଟ ନ ମିଳେ ତେବେ ଆପଣ ପ୍ରଥମେ ଗୁଗୁଲ ମ୍ୟାପର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଆପଣ ଯଦି ଗାଡି ଚଳାଉଥିବା ସମୟରେ ହାତରେ ମୋବାଇଲ୍ ଧରି ଗୁଗଲ ମ୍ୟାପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ହଇରାଣରେ ପଡିପାରନ୍ତି । ଏହା ପାଇଁ କଟିପାରେ ଚାଲଣ ।
ନିକଟରେ ଦିଲ୍ଲୀରେ ଜଣେ ବ୍ୟକ୍ତିଙ୍କର ଏହି କାରଣ ପାଇଁ ଚାଲାଣ କଟିଥିଲା । କାର୍ ଚାଳକ ଯୁକ୍ତି ବାଢିଥିଲେ ଯେ ସେ କାହା ସହ ଫୋନରେ କଥା ହେଉନଥିଲେ । ତଥାପି ତାଙ୍କ ଚାଲାଣ କଟିଗଲା । ଏଥିରେ ଦିଲ୍ଲୀ ପୋଲିସ କହିଥିଲା ଯେ ସେ ହାତରେ ଫୋନ୍ ଧରିଥିଲେ ଏବଂ ଏହା ଟ୍ରାଫିକ୍ ନିୟମ ବିରୁଦ୍ଧ ବୋଲି କୁହାଯାଇଥିଲା । ଏମିତି କଲେ ଡ୍ରାଇଭିଂ ଉପରୁ ଧ୍ୟାନ ହଟିବାର ଆଶଙ୍କା ରହିଛି । ତେବେ ଯଦି ଆପଣ ଡ୍ରାଇଭିଂ ସମୟରେ ଗୁଗଲ ମ୍ୟାପ୍ ବ୍ୟବହାର କରୁଛନ୍ତି ତେବେ ଆପଣ ନିଜ ଗାଡିରେ ମୋବାଇଲ ହୋଲ୍ଡର ଫିଟ୍ କରାଇପାରେ । ମୋବାଇଲ୍ ହୋଲ୍ଡରରେ ଫୋନ୍ ଲଗାଇ ଗୁଗଲ ମ୍ୟାପ୍ ବ୍ୟବହାର କରିବାକୁ ନିୟମ ଭଙ୍ଗ ବୋଲି ଧରାଯାଏନି ।