ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ୱର: ଆସନ୍ତା କାଲିଠୁ ପ୍ରଥମ ପର୍ଯ୍ୟାୟ ଜେଇଇ ମେନ୍ ଏନ୍ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି(ଏନଟିଏ) ପକ୍ଷରୁ ଏ ସମ୍ପର୍କରେ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । କୋଭିଡ ଗାଇଡଲାଇନକୁ ପାଳନ କରି ସମସ୍ତ ପରୀକ୍ଷାର୍ଥୀ ପରୀକ୍ଷା ଆରମ୍ଭ ହେବାର ଅତି କମରେ ଏକ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବାକୁ ପଡିବ । ନିଜ ସହିତ ଜେଇଇ ମେନ୍ ଆଡମିଟ୍ କାର୍ଡ ଓ ସାଥିରେ ପରିଚୟ ପ୍ରମାଣ ପତ୍ର ଯେପରି ଭୋଟର୍ ଆଇ କାର୍ଡ, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ ମଧ୍ୟରୁ ଗୋଟିଏ ନେବା ସହିତ ସେଲ୍ଫ ଡିକ୍ଲାରେସନ୍ ଫର୍ମ ମଧ୍ୟ ନେବା ବାଧ୍ୟତାମୂଳକ । ଏଥି ମଧ୍ୟରୁ କୌଣସି ଡକ୍ୟୁମେଣ୍ଟ୍ ବାଦ ପଡିଲେ ପ୍ରାର୍ଥୀଙ୍କୁ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ ନାହିଁ ।
ସେହିପରି କରୋନା ଗାଇଡ ଲାଇନକୁ ମାନିବାକୁ ପଡିବ ।ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ଥର୍ମାଲ୍ ସ୍କ୍ରିନିଂ କରାଯିବ । ଭିଡ଼ ନହେବା ପାଇଁ ଛାତ୍ରଛାତ୍ରୀମାନେ ପରୀକ୍ଷା ହଲ୍ରେ ପ୍ରବେଶ କରିବା ପରେ ତୁରନ୍ତ ବସିବାକୁ ପଡିବ ।ପରୀକ୍ଷାର୍ଥୀମାନେ ସେମାନଙ୍କ ସହିତ ୫୦ ମିଲି ସାନିଟାଇଜର୍ ବୋତଲ ନେବା ଜରୁରୀ । ମାସ୍କ , ସାମାଜିକ ଦୂରତା ନିୟମ ପାଳନ କରିବା ବାଧ୍ୟତାମୂଳକ ।
ଚଳିତବର୍ଷ ଜେଇଇ ମେନ୍ ପରୀକ୍ଷା ୪ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପରୀକ୍ଷା ୨୩ ରୁ ୨୮ଫେବୃୟାରୀରେ ସରିବା ପରେ ଦ୍ୱିତୀୟ ପରୀକ୍ଷା ମାର୍ଚ୍ଚ ୧୫ରୁ ୧୮ ତାରିଖ, ତୃତୀୟ ଏପ୍ରିଲ ୨୭ରୁ ୩୦ ତାରିଖ ଏବଂ ଚତୁର୍ଥ ପର୍ଯ୍ୟାୟ ପରୀକ୍ଷା ମେ’ ୨୪ରୁ ୨୮ତାରିଖରେ ଅନୁଷ୍ଠିତ ହେବ । ପରୀକ୍ଷା ଦୁଇଟି ସିଟିଂରେ ହେବ । ପ୍ରଥମ ସିଟିଂ ସକାଳ ୯ଟାରୁ୧୨ଟା ମଧ୍ୟରେ ସରିବ । ଅନ୍ୟଟି ଅପରାହ୍ଣ ୩ଟାରୁ ୬ଟା ମଧ୍ୟରେ ଅନୁଷ୍ଠିତ ହେବ ।