ସନ୍ଷ୍ଟାର ଟିଭି ବ୍ୟୁରୋ
ଲକ୍ଷ୍ନୌ : ଦେଶରେ ଜାରି ରହିଛି କୃଷି ଆଇନ ବିରୋଧରେ କୃଷକଙ୍କ ଆନ୍ଦୋଳନ । ସିଂଙ୍ଘୁ ବର୍ଡର ସମେତ ବିଭିନ୍ନ ସ୍ଥାନରେ ଏହି ଆନ୍ଦୋଳନ ବ୍ୟାପିବାରେ ଲାଗିଛି । ଏସବୁ ଭିତରେ ବିରୋଧୀ ମଧ୍ୟ ଚାଷୀଙ୍କ ସହ ଛିଡା ହୋଇଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଶନିବାର ମୁଜାଫରନଗରରେ କେନ୍ଦ୍ର ସରକାରଙ୍କ ବିରୋଧରେ ଗର୍ଜିଥିଲେ । ମୁଜାଫରନଗରରେ ଆୟୋଜିତ ହୋଇଥିବା କୃଷକ ମହାପଞ୍ଚାୟତରେ ଚାଷୀଙ୍କୁ କହିଥିଲେ, ଯେ ପ୍ରତ୍ୟେକ ନେତାଙ୍କୁ ହୃଦୟଙ୍ଗମ କରିବା ଦରକାର ଯେ ପ୍ରତ୍ୟେକ ଲୋକ ଚାଙ୍କ ଉପରେ ବିଶ୍ବାସ ଓ ଭରସା ରଖିଛନ୍ତି । ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଦିଲ୍ଲୀ ସୀମାରେ ପ୍ରଦର୍ଶନ ହୋଇଥିବା ବିକ୍ଷୋଭରେ କୃଷକମାନେ ଅପମାନିତ ହୋଇଥିଲେ । ସେମାନଙ୍କୁ ଦେଶଦ୍ରୋହୀ ମଧ୍ୟ କୁହାଯାଉଥିଲା। ଗହମର ବକେୟା ରାଶି କୃଷକମାନଙ୍କୁ ଦିଆଯିବା ବୋଲି ମୋଦି ପ୍ରତିଶ୍ରୃତି ଦେଇଥିଲେ । ଏହାସହ କୃଷକଙ୍କ ଆୟ ଦ୍ବିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ଅନ୍ନଦାତାଙ୍କ ଆୟ ବୃଦ୍ଧି ହେଲା କି ବୋଲି ସେ ପ୍ରଶ୍ନ କରିଛନ୍ତି । କେବଳ ଏତିକି ନୁହେଁ ପ୍ରିୟଙ୍କା କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସଂସଦରେ କୃଷକ ଆନ୍ଦୋଳନକୁ ପରିହାସ କରିଥିଲେ । ସେ କୃଷକଙ୍କୁ ପରଜୀବୀ ବୋଲି କହିଥିଲେ ।
ଆଖୁ ଚାଷୀ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । ସେ ସିଧାସଳଖ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା କହିଛନ୍ତି ଆଖୁରେ ଚାଷ ପାଇଁ ୧୫,୦୦୦ କୋଟି ଟଙ୍କା ଋଣ ଅଛି, କିନ୍ତୁ ପ୍ରଧାନମନ୍ତ୍ରୀ ତାଙ୍କ ଯାତ୍ରା ପାଇଁ ୧୬,୦୦୦ କୋଟି ବିମାନ କିଣିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପାଖରେ ବିଳାସମୟ ବିମାନ ଯାତ୍ରା ପାଇଁ ଅର୍ଥ ଅଛି କିନ୍ତୁ ଚାଷୀଙ୍କ ଋଣ ପାଇଁ ଟଙ୍କା ନାହିଁ ବୋଲି କହି କଟାକ୍ଷ କରିଛନ୍ତି ପ୍ରିୟଙ୍କା । ମଞ୍ଚରେ ପ୍ରିୟଙ୍କାଙ୍କ ସହ ଦୀପେନ୍ଦ୍ର ହୁଡା, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣନ, ଜାତୀୟ ଖେଳାଳି ବିଜୟନ୍ଦ୍ର ସିଂ ଓ କଂଗ୍ରେସ ରାଜ୍ୟ ସଭାପତି ଉପସ୍ଥିତ ଥିଲେ।