ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ଵର: ବିଧାନସଭାରେ ରାଜ୍ୟ ବଜେଟ ଅଧିବେଶନ ଚାଲିଥିବା ବେଳେ ଚାଷୀ ଓ ମଣ୍ଡି ପ୍ରସଙ୍ଗକୁ ନେଇ ବିରୋଧି ଦଳ ନେତାମାନେ ବିଧାନସଭାରେ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଏକପ୍ରକାର ଅଚଳ ହୋଇଯାଉଛି । ତେବେ ଗତକାଲି ଏହି ଧାନ ସଂଗ୍ରହ ପ୍ରସଙ୍ଗକୁ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କୁ ବିବୃତି ମାଗିଥିଲେ । ଯାହାର ଉତ୍ତର ଦେଇଛନ୍ତି ମାନ୍ୟବର ମନ୍ତ୍ରୀ ।
ଏହି ବିବୃତି ଅନୁଯାୟୀ କଳାହାଣ୍ଡି ବରଗଡ ଜିଲ୍ଲାରେ ନଭେମ୍ଵର ଦ୍ଵିତୀୟ ସପ୍ତାହରୁ ଧାନ ସଂଗ୍ରହ ଆରମ୍ଭ ହୋଇଥିଲା ।ତେବେ ଏବେ ୩୦ ଟି ଜିଲ୍ଲାରୁ ଧାନ ସଂଗ୍ରହ କାର୍ଯ୍ୟ ଚାଲିଛି । କ୍ରୟ ସମୟର ୭ ଦିନ ପୂର୍ବରୁ ଚାଷୀଙ୍କୁ କ୍ରୟ ତାରିଖ ଓ ପରିମାଣ ସମ୍ବନ୍ଧିୟ ସୂଚନା ଏସ୍ଏମ୍ଏସ୍ ଜରିଆରେ ପଠାଇ ଦିଆଯାଉଛି ।ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୨୫ ପ୍ରତିଶତ ଅଧିକ ନାମମାତ୍ର ଚାଷୀ ଓ ୨୦ ପ୍ରତିଶତ ଅଧିକ କ୍ଷୁଦ୍ର ଚାଷୀଙ୍କୁ ଠାରୁ ଧାନ ସଂଗ୍ରହ କରାଯାଇଛି ।
ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ରହିଛି । ଫେବୃୟାରୀ ୧୯ ସୁଦ୍ଧା ୫୫.୦୩ ଲକ୍ଷ ମେଟ୍ରିକ ଟନ୍ ଧାନ ସରକାର କ୍ରୟ କରିଛନ୍ତି । ତେବେ ଏହାର ମୂଲ୍ୟ ୧୦,୨୮୧ କୋଟି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ଅନ୍ଲାଇନ୍ ମାଧ୍ୟମରେ ପ୍ରେରଣ କରାଯାଇଛି ଓ ଧାନ ସଂଗ୍ରହ କାର୍ଯ୍ୟ ମାର୍ଚ୍ଚ ୩୧, ୨୦୨୧ରେ ଶେଷ ହେବ ବୋଲି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ।