ସନ୍ଷ୍ଟାର ଟିଭି ବ୍ୟୁରୋ
ଜଗତସିଂହପୁର: କେନ୍ଦ୍ରାପଡା ଜିଲ୍ଲାକୁ ଯେପରି ତୁଳସୀ କ୍ଷେତ୍ରର ମାନ୍ୟତା ଦିଆଯାଇଛି ସେହିପରି ଜଗତସିଂହପୁର ଜିଲ୍ଲାକୁ ବାଣୀକ୍ଷେତ୍ର ଭାବେ ନାମିତ କରିବାକୁ ବହୁ ଦିନରୁ ଦାବି କରି ଆସୁଥିଲେ ଜଗତସିଂହପୁର ଜିଲ୍ଲାର ବୁଦ୍ଧିଜୀବି ଗୋଷ୍ଠୀ । ତେବେ ଏହି ଦୀର୍ଘ ଦିନର ଦାବି ପୂରଣ ହୋଇଛି । ଜଗତସିଂହପୁର ଜିଲ୍ଲାକୁ ରାଜ୍ୟ ସରକାର ‘ବାଣୀକ୍ଷେତ୍ର’ ଭାବେ ଘୋଷଣା କରିଛନ୍ତି ।
ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଜଗତସିଂହପୁର ଜିଲ୍ଲାକୁ ‘ବାଣୀକ୍ଷେତ୍ର’ ଭାବେ ନାମିତ କରିବାକୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୁତି ବିଭାଗ ପ୍ରମୁଖ ଶାସନ ସଚୀବଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କ ପ୍ରସ୍ତାବ କ୍ରମେ ରାଜ୍ୟ ସରକାର ଏହାକୁ ବିଧିବଦ୍ଧ ଭାବେ ସ୍ୱୀକୃତି ଦେଇଛନ୍ତି ।
ଜଗତସିଂହପୁରର ଝଙ୍କଡରେ ବାଗ୍ଦେବୀ ମା ଶାରଳା ପୂଜା ପାଉଛନ୍ତି ।ମା ଶାରଳା ହେଉଛନ୍ତି ବିଦ୍ୟାଦାତ୍ରୀ । ତେଣୁ ଯେଉଁଭଳି ପୁରୀକୁ ଶ୍ରୀକ୍ଷେତ୍ର, ଭୁବନେଶ୍ଵରକୁ ଏକାମ୍ରକ୍ଷେତ୍ର, କେନ୍ଦ୍ରାପଡାକୁ ତୁଳସୀକ୍ଷେତ୍ର ସେହିଭଳି ମା ଶାରଳାଙ୍କ କ୍ଷେତ୍ର ଜଗତସିଂହପୁରକୁ ‘ବାଣୀକ୍ଷେତ୍ର’ ନାମରେ ନାମିତ କରାଯିବା ଉଚିତ୍ ବୋଲି ଦାବି କରାଯାଉଥିଲା ।