ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ରାଜ୍ୟରେ ପ୍ରଥମ ଥର ପାଇଁ ଅବସରପ୍ରାପ୍ତ ସୂଚନା ଅଧିକାରୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ସୂଚନା କମିସନ । ସୂଚନା ଅନୁସାରେ ସେହି ଅବସରପ୍ରାପ୍ତ ଅଧିକାରୀଙ୍କୁ ବାରମ୍ବାର ନୋଟିସ୍ ଜାରି କରାଯିବା ସତ୍ତ୍ବେ ସେ ସୂଚନା କମିସନଙ୍କ ନିକଟରେ ହାଜର ହେଉ ନଥିବାରୁ ତାଙ୍କ ବିରୋଧରେ ୱାରେଣ୍ଟ ଜାରି ହୋଇଛି । ଆସନ୍ତା ମାସ ୨୨ ତାରିଖରେ କମିସନଙ୍କ ନିକଟରେ ହାଜର ନ ହେଲେ ତାଙ୍କୁ ଗିରଫ କରାଯିବ ବୋଲି କୁହାଯାଇଛି ।
ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ର ଜାରିଂ ପଞ୍ଚାୟତରେ ହୋଇଥିବା ଦୁର୍ନୀତି ଅଭିଯୋଗ ନେଇ ସୁଶାନ୍ତ ଗଡ଼ତିଆ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଥିଲେ । ୨୦୧୫ରେ ସେ ଏହି ତଥ୍ୟ ମାଗିଥିଲେ ମଧ୍ୟ ତାଙ୍କୁ ବହୁ ବିଳମ୍ଵରେ ଏହି ତଥ୍ୟ ପ୍ରଦାନ କରାଯାଇଥିଲା । ସୁଶାନ୍ତ ଗଡ଼ତିଆ ଜଣେ ବିପିଏଲ୍ କାର୍ଡଧାରୀ ହୋଇଥିଲେ ମଧ୍ୟ ସୂଚନା ପ୍ରଦାନ ବାବଦରେ ତାଙ୍କଠାରୁ ୧୩୧୫ ଟଙ୍କା ନିଆଯାଇଥିଲା । ଏହା ବିରୋଧରେ ସେ ୨୦୧୭ରେ ସୂଚନା କମିସନଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗର ଶୁଣାଣି କରି କମିସନ ସେ ସମୟରେ ବିଜେପୁର ବ୍ଲକରେ କାର୍ଯ୍ୟରତ ସୂଚନା ଅଧିକାରୀ ଅକ୍ଷୟ କୁମାର ବଡ଼ପଣ୍ଡାଙ୍କୁ ହାଜର ହେବାକୁ ନୋଟିସ୍ କରିଥିଲେ । କିନ୍ତୁ ବାରମ୍ବାର ନୋଟିସ୍ କରାଯିବା ସତ୍ତ୍ବେ ସେ ହାଜର ହୋଇ ନଥିଲେ। ତେଣୁ ସୂଚନା ଆଇନ ୨୦୦୫ର ଧାରା ୧୮(୩) ଅନୁଯାୟୀ ଶ୍ରୀ ବଡ଼ପଣ୍ଡାଙ୍କ ବିରୋଧରେ ୱାରେଣ୍ଟ ଜାରି କରାଯାଇଛି ।