ସନ୍ଷ୍ଟାର ଟିଭି ବ୍ୟୁରୋ
ଭୁବନେଶ୍ବର: ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଇଫ୍ ସାଇନ୍ସ ଇନଷ୍ଟିଚ୍ୟୁଟ୍ଠାରେ ସେଣ୍ଟର୍ ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋଟେକ୍ନୋଲୋଜି ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି । ତେବେ ସେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡ଼ିଶାରେ ସୁଦୀର୍ଘ ସୁନ୍ଦର ବେଳାଭୂମି ବର୍ଷ ବର୍ଷ ଧରି ରାଜ୍ୟର ଏକ ହଲମାର୍କ ଭାବରେ ପରିଗଣିତ ହୋଇଛି । ମତ୍ସ୍ୟ ଚାଷ, ପର୍ଯ୍ୟଟନ, ବାଣିଜ୍ୟ ଏବଂ ଲଜିଷ୍ଟିକ୍ ତଥା ଆନୁଷାଙ୍ଗିକ କାମରେ ନିୟୋଜିତ ଥିବା ବିଭିନ୍ନ ବର୍ଗର ଲକ୍ଷାଧିକ ଲୋକଙ୍କୁ ଏହି ବେଳାଭୂମି ରୋଜଗାର ଦେଉଛି । ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, ଚିଲିକା ହ୍ରଦ ଏବଂ ଭିତରକନିକା ଜାତୀୟ ଉଦ୍ୟାନ ଓଡ଼ିଶାର ପର୍ଯ୍ୟଟନୀ ସ୍ଥଳ ଗୁଡିକ ଓଡିଶାର ମେରୁଦଣ୍ଡ ଭାବେ କାର୍ଯ୍ୟ କରେ । ପାରାଦୀପ ବନ୍ଦର, ଆଇଓସିଏଲ ପାରାଦୀପ ବିଶୋଧନାଗାର, ପାରାଦୀପ ସ୍ମାର୍ଟ୍ ବନ୍ଦର ସହର ଭଳି ସଂପ୍ରସାରଣ ଓ ଆଧାରିତ ଅର୍ଥନୀତିର ସଠିକ୍ ସମ୍ଭାବନାର ସମ୍ଭାର ଖୋଲିବା ସହ ଓଡ଼ିଶା ଓ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବ ।
ସେଥିପାଇଁ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶାରେ ସମୁଦ୍ରକୂଳ ତଥା ପ୍ରାକୃତିକ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଗବେଷଣା ପାଇଁ ଭୁବନେଶ୍ଵରର ଆଇଏଲ୍ଏସ୍ ଠାରେ ସେଣ୍ଟର ଅଫ୍ ଏକ୍ସିଲେନ୍ସ ଅନ୍ ମେରାଇନ୍ ବାୟୋ-ଟେକ୍ନୋଲୋଜି ପ୍ରତିଷ୍ଠା କରାଯାଉ ।