ସନ୍ଷ୍ଟାର ଟିଭି ବ୍ୟୁରୋ
ଭୋପାଳ : ମଧ୍ୟପ୍ରଦେଶର ସିଦ୍ଧିରେ ଘଟିଛି ଏକ ଦୁଃଖଦ ଘଟଣା । ଆଜି ସକାଳେ ଏକ ବସ୍ କେନାଲ୍ ଭିତରକୁ ଖସି ପଡ଼ିବାରୁ ୪୫ ଜଣ ଯାତ୍ରୀ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ୨୦ ମହିଳା ଅଛନ୍ତି ।ଓ ଦୁଇ ଜଣ ଶିଶୁ ରହିଛନ୍ତି । ବସ୍ଟି ସକାଳେ ୫୪ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ବସ୍ଟି ସିଦ୍ଧି ଜିଲ୍ଲାର ପାଟନା ଗ୍ରାମ ନିକଟରେ ଥିବା ବନସାଗର କେନାଲ ଭିତରକୁ ଖସି ପଡ଼ିଥିଲା। କେନାଲର ଗଭୀର ପାଣିରେ ବସ୍ଟି ସମ୍ପୂର୍ଣ୍ଣ ବୁଡ଼ି ଯାଇଥିଲା। ୬ ଜଣ ପହଁରି କୂଳରେ ସୁରକ୍ଷିତ ଭାବେ ପହଞ୍ଚିଥିଲେ। ବସ୍ର ଅଧିକାଂଶ ଯାତ୍ରୀ ନର୍ସିଂ ଛାତ୍ର ଥିଲେ । ସେମାନେ ପରୀକ୍ଷା ଦେବା ପାଇଁ ସିଦ୍ଧିରୁ ସତନା ଯାଉଥିଲେ । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଛି ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଚାରି ଜଣଙ୍କ ଏଯାଏଁ ନିଖୋଜ ରହିଛନ୍ତି ।
ସ୍ଥାନୀୟ ପୁଲିସ, ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏସ୍ଡିଆର୍ଏଫ୍ ଟିମ୍ ଏବଂ ସ୍ଥାନୀୟ ପ୍ରଶାସନ ଉଦ୍ଧାରକାର୍ଯ୍ୟରେ ସହାୟତା କରିଥିଲେ। ତୁରନ୍ତ କେନାଲରୁ ପାଣି ନିଷ୍କାସନ କରାଯାଇଥିଲା । ଦୁଇଟି କ୍ରେନ୍ ସାହାଯ୍ୟରେ ବସ୍କୁ ପାଣିରୁ ଉଠା ଯାଇଥିଲା । ଜିଲ୍ଲାପାଳ, ଏସ୍ପି, ପୁଲିସ କମିସନର୍, ଆଇଜି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ତଦାରଖ କରିଥିଲେ। ଦୁର୍ଘଟଣା ନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହାନ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।