ସନ୍ଷ୍ଟାର ଟିଭି ବ୍ୟୁରୋ
ସରସ୍ୱତୀଙ୍କୁ ଜ୍ଞାନର ଦେବୀ ବୋଲି ପରିଗଣିତ କରାଯାଏ । ସେ ଜ୍ଞାନ, ବୁଦ୍ଧି, ବିବେକ, ବିଦ୍ୟାର ଉତ୍ସ ବା ପ୍ରକାଶରୂପ । ପାରମ୍ପରିକ ରୂପରେ ସରସ୍ୱତୀ ଶୁକ୍ଳ ବସ୍ତ୍ର ପରିଧାନ କରି କର୍ଣ୍ଣରେ ରତ୍ନବିଭୂଷିତ କୁଣ୍ଡଳ ଧାରଣ କରି ଗଳାରେ ଗଜମୋତି ଏବଂ ମୁକ୍ତାହାର ପିନ୍ଧିଛନ୍ତି ଓ ହସ୍ତରେ ବୀଣା ଓ ପୁସ୍ତକ ଧାରଣ କରି ପଦ୍ମାସନରେ ଶ୍ୱେତପଦ୍ମ ଉପରେ ଅଧିଷ୍ଠାତ୍ରୀ ହୁଅନ୍ତି । ଓଡ଼ିଆ ଭାଷାରେ ତାଙ୍କୁ ବାଣୀ ବୋଲି ମଧ୍ୟ କୁହାଯାଏ । ତାଙ୍କୁ ବୀଣା ପୁସ୍ତକ ଧାରିଣୀ, ବାଗ୍ଦେବୀ, ବରଦା ନାମରେ ମଧ୍ୟ ଡକାଯାଏ ।
କେବଳ ହିନ୍ଦୁ ଧର୍ମରେ ନୁହେଁ ହିନ୍ଦୁ ଧର୍ମ ବ୍ୟତୀତ ବୌଦ୍ଧ, ଜୈନ ଧର୍ମରେ ମଧ୍ୟ ଦେବୀ ସରସ୍ୱତୀଙ୍କର ଆରାଧନା ରହିଛି । ଭାରତ ବାହାରେ ତିବ୍ବତ, ଚୀନ ଏବଂ ଜାପାନରେ ଦେବୀ ସରସ୍ୱତୀଙ୍କୁ ପୂଜା କରିଥାନ୍ତି ।
ତେବେ ପୌରାଣିକ କଥାବସ୍ତୁ ଅନୁସାରେ ଯେତେବେଳେ ବ୍ରହ୍ମା ସୃଷ୍ଟିର ଚରନା କରିଥିଲେ ସେତେବେଳେ ସେ ଜୀବଜନ୍ତୁ, ମନୁଷ୍ୟ, ପଶୁପକ୍ଷୀ ସମସ୍ତଙ୍କୁ ସୃଷ୍ଟି କରିଥିଲେ । ତଥାପି ତାଙ୍କୁ କିଛି ଛାଡିଯାଇଥିବା ଭଳି ମନେ ହେଉଥିଲା ।ଯେଉଁଥିପାଇଁ ଚାରିଆଡେ ଦୁଃଖର ଛାୟା ଖେଳିଗଲା । ବ୍ରହ୍ମା ନିଜ କମଣ୍ଡଳୁରୁ ପାଣି ଛିଞ୍ଚିଲେ ଯେଉଁଥିରୁ ୪ଟି ହାତ ବିଶିଷ୍ଟ ଏକ ସୁନ୍ଦର ମହିଳା ସୃଷ୍ଟି ହୋଇଥିଲେ । ସେହି ଚାରୋଟି ହାତରେ ବୀଣା , ପୁସ୍ତକ, ମାଳା ଓ ଆଉ ଗୋଟିଏ ହାତ ମୁଦ୍ରାରେ ଥିଲା । ବ୍ରହ୍ମା ସେହି ଦେବୀଙ୍କୁ ବୀଣା ବଜାଇବାକୁ ଅନୁରୋଧ କରିଥିଲେ । ସେ ବୀଣା ବଜାଇବାରୁ ସୃଷ୍ଟିର ସମସ୍ତ ଜୀବଙ୍କୁ ବାକ୍ ଶକ୍ତି ମିଳିଥିଲା । ଜଳ ଧାରାରୁ ମଧ୍ୟ କୁଳୁକୁଳୁ ଶବ୍ଧ ଶୁଣିବାକୁ ମିଳିଲା । ତେବେ ସେହି ସମୟରେ ବ୍ରହ୍ମା ସେହି ଦେବୀଙ୍କୁ ସରସ୍ଵତୀ କହିଥିଲେ । ତେବେ ବ୍ରହ୍ମା ସରସ୍ଵତୀଙ୍କ ଉତ୍ପତ୍ତି ବସନ୍ତ ପଞ୍ଚମୀ ଦିନ କରିଥିଲେ ତେଣୁ ବସନ୍ତ ପଞ୍ଚମୀ କୁ ସରସ୍ଵତୀଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ ।