ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଅଧିନସ୍ଥ ସମସ୍ତ ସରକାରୀ କର୍ମଚାରୀମାନେ କାର୍ଯ୍ୟ ଦିବସରେ ଅଫିସରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କର୍ମଚାରୀ ମନ୍ତ୍ରାଳୟ । ତେବେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶରେ କରୋନା ପାଇଁ ସରକାରୀ କର୍ମଚାରୀଙ୍କ ସଂଖ୍ୟା କମ ରହୁଥିବାରୁ ଏପରି ନିଷ୍ପତି ନେଇଛନ୍ତି କର୍ମଚାରୀ ମନ୍ତ୍ରାଳୟ ।ଗତ ଶନିବାର ଦିନ ଏହି ନିଷ୍ପତି ନିଆଯାଇଛି ।
ତେବେ ସେହି ନିର୍ଦ୍ଦେଶାବଳୀ ଅନୁସାରେ ସବୁସ୍ତରୀୟ ସରକାରୀ କର୍ମଚାରୀମାନେ ସମସ୍ତ କାର୍ଯ୍ୟ ଦିବସମାନଙ୍କରେ ଅଫିସ୍କୁ ଆସିବେ । କୌଣସି ବର୍ଗର କର୍ମଚାରୀ ଏହି ନିୟମରୁ ଛାଡ଼ ପାଇବେ ନାହିଁ । କିନ୍ତୁ, ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବାୟୋମେଟ୍ରିକ୍ ଉପସ୍ଥାନ ବନ୍ଦ ରହିବ ।
କେବଳ କଣ୍ଟେନ୍ମେଣ୍ଟ୍ ଜୋନ୍ରେ ରହୁଥିବା ସରକାରୀ କର୍ମଚାରୀମାନଙ୍କ ପାଇଁ ଏହି ନିୟମ ଲାଗୁ ହେବନାହିଁ । ସେମାନଙ୍କ ଅଞ୍ଚଳରୁ କଣ୍ଟେନ୍ମେଣ୍ଟ୍ ନ ହଟିବା ପର୍ଯ୍ୟନ୍ତ ସେମାନେ ଅଫିସ ନ ଆସି ଘରେ ରହି କାମ କରିବେ ଓ ଯୋଗାଯୋଗ ପାଇଁ ସବୁବେଳେ ଫୋନ୍ ଅନ୍ ରଖିବେ ।
ସେହିଭଳି, ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ପୂର୍ବଭଳି ବୈଠକ ଚାଲିବ। ସାଧାରଣ ସ୍ୱାର୍ଥ ନିମନ୍ତେ ଆବଶ୍ୟକ ନ ହେଲେ ପ୍ରତ୍ୟକ୍ଷ ବୈଠକ ହେବନାହିଁ । ଏହାଛଡ଼ା, ସବୁ ବିଭାଗୀୟ କ୍ୟାଣ୍ଟିନ୍ ଖୋଲାଯାଇ ପାରେ ବୋଲି ଅନ୍ୟ ଏକ ଆଦେଶରେ କର୍ମଚାରୀ ମନ୍ତ୍ରାଳୟ ସୂଚନା ଦେଇଛନ୍ତି ।