ସନ୍ଷ୍ଟାର ଟିଭି ବ୍ୟୁରୋ
କୋଣାର୍କ: ଫେବୃଆରୀ ୧୮ତାରିଖ ଅପରାହ୍ନରୁ ୧୯ ତାରିଖ ଅପରାହ୍ନ ପର୍ଯ୍ୟନ୍ତ କୋଣାର୍କ ଚନ୍ଦ୍ରଭାଗାରେ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ବପ୍ରସିଦ୍ଧ ମାଘସପ୍ତମୀ ମେଳା । ଏହାର ନୀତି ନିର୍ଘଣ୍ଟ କରିବାକୁ କୋଣାର୍କ ଏନ୍ଏସି କାର୍ଯ୍ୟାଳୟ ପରିସରରେ ଏକ ବୈଠକର ଆୟୋଜନ ହୋଇଥିଲା । କୋଣାର୍କ ମାଘମେଳାର ତିନି ଆରାଧ୍ୟ ଠାକୁର ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ବର, ସନ୍ଥପୁରର ବାବା ଐଶାନେଶ୍ବର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବଙ୍କ ନୀତିନିର୍ଘଣ୍ଟ ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯାଇଥିଲା ।
ମାଘ ମେଳା ନୀତି ସମୟ
ରାତ୍ରି ୩.୩୦ ମିନିଟ- ତିନି ଠାକୁର ଚନ୍ଦ୍ରଭାଗାରେ ପହଞ୍ଚିବେ । ସେଠାରେ ଠାକୁରମାନଙ୍କ ମହୋଦଧି ସ୍ନାନ ଓ ତୀର୍ଥ ସ୍ନାନ କରାଯିବ ।
୩.୧୫ ରୁ ୪ଟା- ତିନି ଠାକୁରଙ୍କ ସ୍ନାନ ଓ ପୂଜାନୀତି ସମାପନ ହେବ ।
୪.୩୫ ମିନିଟ- ଠାକୁରଙ୍କ ସହିତ ଶୋଭାଯାତ୍ରାରେ ଯାଇ ତୀର୍ଥସ୍ନାନ ପାଇଁ ଅନୁମତି ପାଇଥିବା ସେବାୟତ କରିବେ ତୀର୍ଥ ସ୍ନାନ ।
ତେବେ ଚଳିତବର୍ଷ କୋଭିଡ୍ କଟକଣା ମଧ୍ୟରେ ଅନୁଷ୍ଠିତ ହେଉଥିବା ମାଘସପ୍ତମୀ ବୁଡ଼ ଲାଗି ସର୍ବାଧିକ ପାଞ୍ଚଶହ ଲୋକଙ୍କୁ ଅନୁମତି ପ୍ରଦାନ କରାଯିବା ପାଇଁ ସ୍ଥିର କରାଯାଇଛି । ଏହି ପାଞ୍ଚଶହ ଲୋକଙ୍କ ମଧ୍ୟରେ ସେବାୟତ, ପୁଲିସ, ପ୍ରଶାସନ, ଗଣମାଧ୍ୟମ ପ୍ରତିନିଧି ଓ ତିନି ଠାକୁରଙ୍କ କର୍ତ୍ତା ଠାକୁରଙ୍କ ଶୋଭାଯାତ୍ରାରେ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଯିବାଲାଗି ଅନୁମତି ରହିଛି ।