ସନ୍ଷ୍ଟାର ଟିଭି ବ୍ୟୁରୋ
ନୂଆଦିଲ୍ଲୀ: ଲୋକପ୍ରିୟ ଆପ୍ ଟ୍ଵିଟରକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହି ଅସନ୍ତୋଷର ଭରପୁର ଲାଭ ଉଠାଉଛି ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ମାଇକ୍ରୋବ୍ଲଗିଂ ଆପ୍ ‘କୁ'(koo) । ଭାରତୀୟ ନେତା ମନ୍ତ୍ରୀମାନେ ମଧ୍ୟ ଏହି ଆପ୍କୁ ଆପଣାଇବାରେ ଲାଗିଛନ୍ତି ।
ଏହା ପରରୁ ‘କୁ’ର ୟୁଜର୍ସଙ୍କ ସଂଖ୍ୟା ତୀବ୍ର ବେଗରେ ବଢିଚାଲିଛି । ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଟ୍ବିଟର ବିଷୟରେ ନିଜର ଦୃଷ୍ଟିକୋଣକୁ ଜଣାଇବା ପାଇଁ ‘କୁ’ ର ବ୍ୟବହାର କରିଛି । ମନ୍ତ୍ରାଳୟ ଟ୍ବିଟରରୁ ଅନେକ କଥିତ ବିବାଦୀୟ ତଥ୍ୟକୁ ପ୍ରତ୍ୟାହୃତ ପାଇଁ ଆଦେଶ ଦେଇଥିଲା । ଯାହାକୁ ଏବେ ଟ୍ବିଟର ସମ୍ପୂର୍ଣ୍ଣ ଭାବେ ପାଳନ କରିନାହିଁ । ଏପଟେ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରାଳୟ ଓ ପୀୟୁଷ ଗୋୟଲ ଭଳି କିଛି ମନ୍ତ୍ରୀ ଲୋକଙ୍କୁ ‘କୁ’ ର ବ୍ୟବହାର ପାଇଁ ଅପିଲ କରିଛି । ଯାହା ଫଳରେ ‘କୁ’ ର ୟୁଜର୍ସ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଛି । ଫଳରେ ଟ୍ବିଟର ଭଳି କାମ କରୁଥିବା ‘କୁ’ ର ସୋସିଆଲ ନେଟୱର୍କ ପ୍ଲାର୍ଟଫର୍ମରେ ଏବେ 30 ଲକ୍ଷରୁ ଅଧିକ ୟୁଜର୍ସ ଅଛନ୍ତି । କୁ ଆପର ଡାଉନଲୋଡ ଚଳିତ ସପ୍ତାହରେ 10 ଗୁଣା ବଢିଛି । ‘କୁ ’ର ଲୋଗୋରେ ଟ୍ବିଟରରେ ନୀଳ ପକ୍ଷୀର ବିପରୀତ ଏକ ହଳଦିଆ ପକ୍ଷୀ ରହିଛି ।
ଟ୍ବିଟରର 1.75 କୋଟି ୟୁଜର୍ସ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କ କ୍ୟାବିନେଟ ମନ୍ତ୍ରୀ ଟ୍ବିଟରର ବ୍ୟବହାର କରି ଜନତାଙ୍କୁ ସୂଚନା ଦେଉଛନ୍ତି । ତେବେ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଆହ୍ଵାନରେ ବିଦେଶୀ ଆପ୍କୁ ଟକ୍କର ଦେବା ଉଦ୍ଦେଶ୍ୟରେ ଅନେକ ସ୍ଵଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅନେକ ଆପ୍ ବିକଶିତ ହୋଇଛି । ଏହି କ୍ରମରେ ଟିକ୍ଟକକୁ ବିପକ୍ଷରେ ଜୋହୋ (zoho), ଚିଙ୍ଗାରି(chingari) ଓ ବର୍ତ୍ତମାନ ଟ୍ଵିଟରକୁ ଟକ୍କର ଦେବା ପାଇଁ କୁ(koo) ବିକଶିତ ହୋଇସାରିଛି । କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ୍ ନିଜ ଟ୍ଵିଟର ଆକାଉଣ୍ଟରେ ଏହି ସ୍ଵଦେଶୀ ଆପ୍ ବ୍ୟବହାର କରିବାକୁ ଆହ୍ଵାନ ଦେଇଛନ୍ତି ।