ମାନିଲେନି ବନ୍ଧ କି ବାଡ, ଏମିତିକି ପୁଲିସ ସହ ମୁହାଁମୁହିଁ ମଧ୍ୟ ହେଲେ । ତତା ଖରାରେ ସାଷ୍ଟାଙ୍ଗ ପ୍ରଣିପାତ କରି ସରକାରଙ୍କୁ ଜଣାଇଲେ ଦାବି । ନିଯୁକ୍ତି ବୟସ ସୀମା ବୃଦ୍ଧି ପ୍ରସଙ୍ଗକୁ ନେଇ ସରଗରମ ଭୁବନେଶ୍ବର । ରାଜଧାନୀ ରାଜରାସ୍ତାରେ ଷ୍ଟୁଡେଣ୍ଟ ଏଗନେଷ୍ଟ କରପସନ୍ ର ଗର୍ଜନ । ବିଧାନସଭା ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣିପାତ କରି ନିଯୁକ୍ତି ବୟସ ସୀମା ବଢ଼ାଇବାକୁ ନିବେଦନ କରିଛନ୍ତି ଆଇଆର୍ବି, ଓଏସ୍ଏପି ଓ ପିଏମ୍ଟି ଚାକିରି ଆଶାୟୀ । ଷ୍ଟୁଡେଣ୍ଟ ଏଗେନ୍ଷ୍ଟ କରପସନ୍ ନେତୃତ୍ବରେ ବହୁ ଆଶାୟୀ ମାଷ୍ଟରକ୍ୟାଣ୍ଟିନ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍ଜି ଧାରଣାସ୍ଥଳରେ ପହଞ୍ଚିଥିଲେ । ବାଟରେ ପୁଲିସ ସହ ମୁହାଁମୁହିଁ ହେବା ପରେ କଥା କଟାକଟି ହୋଇଥିଲା । ଆନ୍ଦୋଳନ ପାଇଁ ଅନୁମତି ନାହିଁ ବୋଲି ପୁଲିସ କହିଥିଲା । ହେଲେ ପୁଲିସ୍ ନ ହୋଇପାରିଲେ ମାନସିକ ଚାପରେ ପିଲା ନକ୍ସଲ ହୋଇଯିବେ ବୋଲି କହି ଚେତାବନୀ ଦେଇଥିଲେ । ପରେ ଧାରଣାସ୍ଥଳରେ ଆଶାୟୀମାନେ ରାସ୍ତାରେ ସାଷ୍ଟାଙ୍ଗ ପ୍ରଣିପାତ କରି ସରକାରଙ୍କୁ ଦାବି ପୂରଣ ପାଇଁ ନିବେଦନ କରିଥିଲେ। ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଡକରା ପାଇ ସଂଗଠନର ୬ଜଣିଆ ପ୍ରତିନିଧିମଣ୍ଡଳୀ ସେଠାରେ ଦାବି ଜଣାଇଥିଲେ । ଏଥିପ୍ରତି ସରକାର ତତ୍କାଳ ନିଷ୍ପତ୍ତି ନେବେ ବୋଲି ଦାୟିତ୍ବରେ ଥିବା ଅଧିକାରୀ ଆଶ୍ୱାସନା ଦେବାରୁ ଆଶାୟୀମାନେ ଧାରଣାରୁ ଓହରିଥିଲେ । ତେବେ ଦାବି ପୂରଣ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।