ରାଜ୍ୟରେ ଲଘୁ ଖଣିଜ ପଦାର୍ଥର ଲୁଟ ଚରମସୀମାରେ ପହଞ୍ଚିଛି । ସାରା ରାଜ୍ୟରେ ମାଫିଆ ସକ୍ରିୟ, ପୋଲିସ ନିଷ୍କ୍ରିୟ । ଖଣି ଲୁଟର ସର୍ଦ୍ଦାର ସାଜିଛନ୍ତି ସରକାର । ସୁସଂଗଠିତ ଓ ବ୍ୟବସ୍ଥିତ ଭାବେ ଚାଲିଛି ଖଣି ଲୁଟ । ଏମିତି ଅଭିଯୋଗ ଆଣି ପ୍ରେସମିଟ କରି ବର୍ଷିଛି ବିଜେଡି । ଓଡ଼ିଶାରେ ନୂଆ ସରକାର ଆସିବା ପରେ ବ୍ୟବସ୍ଥିତ ଢଙ୍ଗରେ ଲୁଟ ହେଉଛି । ଶାସକ ଦଳ ବିଧାୟକଙ୍କ ଜରିଆରେ ହେଉଥିବା ଏହି ଲୁଟ ମୁଖ୍ୟମନ୍ତ୍ରୀ ଯାଏ ନେଟୱାର୍କ ରହିଛି । ଲୋକଙ୍କ ପାଇଁ କାମ ତ ଦୂରର କଥା ବର୍ତ୍ତମାନ ସରକାରଙ୍କର ଏକମାତ୍ର ଉଦ୍ଦେଶ୍ୟ ହେଉଛି ଖଣି ଲୁଟ ।
ଲୁଟ ରୋକିବା ବଦଳରେ ଲୁଟିବା ପାଇଁ ବ୍ୟବସ୍ଥା ହେଉଛି । ଗତ ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ବୈଠକରେ ତିନୋଟି ପ୍ରସଙ୍ଗରେ ନିର୍ଦ୍ଦେଶ ଥିଲା । ଖଣି ଲୁଟ ରୋକିବାକୁ ଫୋକସ ଥିଲା । କିନ୍ତୁ ଏଥିରେ ମୁଖ୍ୟ ଶାସନ ସଚିବ ଦୁର୍ନୀତିର ଉତ୍ସ ବା କ୍ରସରକୁ ଛାଡିଗଲେ । ଏହାର ଭିତିରି ଉଦ୍ଦେଶ୍ୟ ସାଧାରଣ ଲୋକଙ୍କୁ ହଇରାଣ କରି ମାଫିଆଙ୍କୁ ସହଯୋଗ କରିବା । ଏବେ ଦୁର୍ନୀତିର ନାଭି କେନ୍ଦ୍ର ହେଉଛି କ୍ରସର । ଲଘୁ ଖଣିଜ ପଦାର୍ଥର ଦାମ ୩୦ ରୁ ୪୦ ପ୍ରତିଶତ ବଢିଛି । ମହଙ୍ଗା ମାଡ଼ର ସରକାର ମୋହନ ସରକାରରେ ବାଲି ଗୋଡିର ଦାମ ବି ବଢିଛି । ରାଜନୈତିକ ବ୍ୟକ୍ତିଙ୍କ ଚାନ୍ଦା ଗରିବ ଲୋକଙ୍କ ମୁଣ୍ଡ ଉପରେ ପଡିଛି ।