ବାପାର ଫଟୋକୁ ଧରି ବାହୁନି କାନ୍ଦୁଛି କୁନି ଝିଅ ,ଆଜକୁ ସାତ ଦିନ ହେବ ଘରେ ଚୁଲି ଜଳୁନି କି ବନ୍ଧୁ ବାନ୍ଧବଙ୍କ ଭିଡ଼ ବି କମୁନି । ଘରର ରୋଜଗାରିଆ ପୁଅକୁ ହରେଇ ମାଆ ଆଖିରେ ବି ଲୁହ ଶୁଖୁନି । ମାତ୍ର୨୫ବର୍ଷ ବୟସରେ ବିଧବା ସାଜି ଥିବା ପତ୍ନୀ ଏବେ ଦୁଇ କନ୍ୟା ସନ୍ତାନଙ୍କୁ ଧରି ବୋକା ପାଲଟି ଯାଇଛି ।
ଏହି ଘଟଣା ହେଉଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଓ ଚାନ୍ଦବାଲି ଏନ ଏ ସି ଅନ୍ତର୍ଗତ ହରିପୁରର । ପତ୍ନୀ ସ୍ୱପ୍ନା ବିଶ୍ୱାସଙ୍କ ଅଭିଯୋଗ ମୁତାବକ ସ୍ୱାମୀ ବିଶୁ ବିଶ୍ଵାସ ସମୁଦ୍ରରେ ମାଛ ମାରି ନିଜ ପରିବାର ପ୍ରତିପୋଷଣ କରନ୍ତି । ଚଳିତ ମାସ ୩ ତାରିଖ ଦିନ ସନ୍ଧ୍ୟାରେ ୫ ହଜାର ଟଙ୍କା ନେଇ ଘରୁ ବାହାରି ଥିଲେ ବିଶୁ । ଲକ୍ଷ୍ୟ ଥିଲା ଆବଶକୀୟ ସରଞ୍ଜାମ କିଣି ବୋଟ ନେଇ ଗଭୀର ସମୁଦ୍ରକୁ ମାଛ ମାରିବାକୁ ଯିବେ । ହେଲେ ଚାନ୍ଦବାଲି ସହରରେ ପହଞ୍ଚିବା ପରେ ତାଙ୍କର କିଛି ସାଥି ତାଙ୍କ ଠାରୁ ଟଙ୍କା ହଡପ ପାଇଁ ଉଦ୍ୟମ କରିଥିଲେ । ତାଙ୍କ ଠାରୁ ୨୦୦୦ ଟଙ୍କା ମଧ୍ୟ ଲୁଟି ନେଇଥିଲେ । ରାତି ପ୍ରାୟ ୧୧.୩୦ ସମୟରେ କେହି ଦୁର୍ବୃତ୍ତ ତଣ୍ଟି ଚିପି ତାଙ୍କ ଦାଣ୍ଡ ଦୁଆରେ ଫୋପାଡ଼ି ଦେଇଥିଲେ । ବାହାରେ ଗଁ ଗଁ ଶବ୍ଦ ଶୁଣି ପତ୍ନୀ କବାଟ ଖୋଲି ଦେଖିଲା ବେଳକୁ ସ୍ୱାମୀ ତଣ୍ଟି କୁ ଧରି ଛଟପଟ ହେଉଛନ୍ତି , କଥା କହି ପାରୁ ନାହାଁନ୍ତି । ସଙ୍ଗେ ସଙ୍ଗେ ତାଙ୍କ ପାଟିରେ ପାଣି ଦେଇଥିଲେ ପତ୍ନୀ । ପାଣି ପିଇବା ପରେ ସେହି ସ୍ଥାନରେ ରକ୍ତ ବାନ୍ତି କରି ପକାଇ ଥିଲେ ସ୍ୱାମୀ ବିଶୁ ବିଶ୍ୱାସ । ତାପର ତାଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ପରିବାର ଲୋକେ । ଅବସ୍ଥା ଗୁରୁତର ଥିବାରୁ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ନେଇ ଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର । ତାଙ୍କୁ ଭଦ୍ରକ ନେବା ବାଟରେ ଆଖି ବୁଜି ଥିଲେ ବିଶୁ ।
ସ୍ୱାମୀର ଶବ ସଂସ୍କାର ପରେ ଚାନ୍ଦବାଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ପତ୍ନୀ ସ୍ୱପ୍ନା ବିଶ୍ୱାସ । ଆଉ ଏଥିରେ ଦର୍ଶାଇ ଥିଲେ ସ୍ୱାମୀଙ୍କ ଏକାନ୍ତ ବନ୍ଧୁ ଧନ ଓ ତାଙ୍କ ସହ ମିଶୁଥିବା ଅନ୍ୟ ସାଙ୍ଗ ମାନଙ୍କୁ ସେ ସନ୍ଦେହ କରୁଛନ୍ତି । ଯେହେତୁ ସ୍ୱାମୀଙ୍କ ଗଳାରେ ଦାଗ ରହିଛି ,ତାଙ୍କୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଛି ବୋଲି ସେ ସନ୍ଦେହ କରୁଛନ୍ତି । ବିଶୁର ମୃତ୍ୟୁ ପରେ ସାଥି ଧନ ଚାନ୍ଦବାଲି ଛାଡି ଅନ୍ୟତ୍ର ପଳାଇ ଯାଇଥିଲେ ,ଯାହା ବିଶୁର ପରିବାର ଲୋକଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଥିଲା । ଭଦ୍ରକ ସହରରୁ ଧନକୁ ଧରି ପୋଲିସର ଜିମା ଦେଇଥିଲେ ବିଶୁ ର ପରିବାର ଲୋକେ । ମାତ୍ର ପୋଲିସ ତାଙ୍କୁ ପଚରାଉଚରା କରି ଛାଡି ଦେଇଥିବା ଜଣାପଡିଛି । ଏଠାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର ଲୋକେ । ତଣ୍ଟିର ଦୁଇଟି ଦାଗ ,ତଣ୍ଟି ଚିପି ମରିଦେବାର ଉଦ୍ୟମ କରିବାର ସ୍ପଷ୍ଟ ଚିତ୍ର ଥିବା ବେଳେ ଅଭିଯୁକ୍ତକୁ ଧରିବାରେ ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶୁର ପରିବାର ଲୋକେ । କାହା ଚାପର ଆକ୍ସନ ନେଉନି ପୋଲିସ । ଏପଟେ ଚାନ୍ଦବାଲି ଥାନାରେ ଭାରପ୍ରାପ୍ତ ଥାନାଧିକାରୀକୁ ଏ ବିଷୟରେ ପଚାରିବାରୁ ତଦନ୍ତ ଚାଲିଛି ,ପୋଷ୍ଟମର୍ଟମ ରିପୋର୍ଟ ଆସିଲେ ସ୍ପଷ୍ଟ ହେବ ଚିତ୍ର । ଦେଖିବାକୁ ବାକି ରହିଲା କେବେ ସ୍ପଷ୍ଟ ହେବ ବିଶୁ ବିଶ୍ୱାସର ମୃତ୍ୟୁ ର କାରଣ । କେବେ ମିଳିବ କୁନି ଛୁଆଙ୍କୁ ନ୍ୟାୟ ?