ଅନ୍ତର୍ଜାତୀୟ ମହିଳା ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ସମ୍ମାନିତ ହେଲେ ନିମାପଡ଼ା ଅଞ୍ଚଳର ଜଣା ଶୁଣା ବରିଷ୍ଠ ନାରୀ ନେତ୍ରୀ କୁଞ୍ଜଲତା ସାମଲ। ସମ୍ମାନିତ ହେଲାପରେ ନିମାପଡ଼ା ହରିପୁର ନିକଟରୁ ଏକ ବିଶାଳ ବାଇକ୍ ଶୋଭାଯାତ୍ରାରେ ଆସି ବିଭିନ୍ନ ସ୍ଥାନରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଚାରିଛକ ନିକଟରେ ଥିବା ମା ବିଳାଶୁଣି କଲ୍ୟାଣ ମଣ୍ଡପରେ ଆୟୋଜିତ ମହିଳା ସମାବେଶରେ ଯୋଗଦେଲେ ବରିଷ୍ଠ ନାରୀ ନେତ୍ରୀ ତଥା ୧୮ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟା କୁଞ୍ଜଲତା ସାମଲ। ବିଜେଡି ନେତା ସୁବ୍ରତ ଛାଟୋଇଙ୍କ ନେତୃତ୍ୱରେ ଆୟୋଜିତ ସମାବେଶରେ ତାଙ୍କୁ ନିମାପଡ଼ା ନିର୍ବାଚନ ମଣ୍ଡଳୀ ପକ୍ଷରୁ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ଜନତା ଦଳ ସମୟରେ କୁଞ୍ଜଲତା ନିମାପଡ଼ା ବ୍ଲକ୍ ଉପାଧ୍ୟକ୍ଷ ଥିଲେ।ପରେ ବିଭିନ୍ନ ଜୋନରୁ ଲଗାତାର ୬ଥର ଜିଲ୍ଲା ପରିଷଦ ସଭ୍ୟା ଭାବେ ନିର୍ବାଚିତ ହୋଇଛନ୍ତି। ଜଣେ ଶୃଙ୍ଖଳିତ ନାରୀ ନେତ୍ରୀ ଏବଂ ନିଜର କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଅନ୍ତର୍ଜାତୀୟ ମହିଳା ଦିବସରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ କରିଛନ୍ତି।