ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାରଙ୍କ ବଡ କାର୍ଯ୍ୟାନୁଷ୍ଠାନ । ମାର୍ଚ୍ଚ ୩୧ପରେ ଆଉ ଏମାନଙ୍କୁ ମିଳିବନି ପେଟ୍ରୋଲ । ଏନେଇ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଗାଡି ଏବଂ ୧୦ ବର୍ଷରୁ ପୁରୁଣା ଡିଜେଲ ଗାଡି ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ସହରରେ ବଢ଼ୁଥିବା ପ୍ରଦୂଷଣ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି । ଏହି ନିୟମ ଅନୁଯାୟୀ, ନିଷିଦ୍ଧ ଗାଡିଗୁଡିକୁ ଜବତ କରାଯିବ । ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିରସା ଶନିବାର ଘୋଷଣା କରିଛନ୍ତି ଯେ ଦିଲ୍ଲୀ ସରକାର ୩୧ ମାର୍ଚ୍ଚ ପରେ ସହରର ପେଟ୍ରୋଲ ପମ୍ପ ଗୁଡ଼ିକରେ ୧୫ ବର୍ଷରୁ ପୁରୁଣା ଗାଡିଗୁଡ଼ିକୁ ପେଟ୍ରୋଲ ଯୋଗାଇବା ବନ୍ଦ କରିବ । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣର ମୁକାବିଲା ପାଇଁ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବା ପାଇଁ ଅଧିକାରୀଙ୍କ ସହ ଏକ ବୈଠକ ପରେ, ସିରସା କହିଛନ୍ତି ଯେ ସରକାର ପ୍ରଦୂଷଣକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି । ପୁରୁଣା ଯାନବାହନ ଚିହ୍ନଟ କରିବାରେ ସ୍ମାର୍ଟ ଗ୍ୟାଜେଟ ସାହାଯ୍ୟ କରିବ । ବୈଠକରେ ପୁରୁଣା ଯାନବାହନ ଉପରେ ନିଷେଧ, ବାଧ୍ୟତାମୂଳକ ଧୂଆଁ ବିରୋଧୀ ପଦକ୍ଷେପ ଏବଂ ବିଦ୍ୟୁତ ସାର୍ବଜନୀନ ପରିବହନକୁ ସ୍ଥାନାନ୍ତର ସମେତ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ଉପରେ ଧ୍ୟାନ ଦିଆଯାଇଥିଲା ।