ମୟୂରଭଞ୍ଜର କପ୍ତିପଦା ଉପଖଣ୍ଡ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟଜଳ ବିଭାଗ ପକ୍ଷରୁ ପ୍ରାୟ ୧୦୦ କୋଟି ଟଙ୍କା ବିନିଯୋଗରେ ୫୨ ଗୋଟି ପ୍ରକଳ୍ପର ଶୁଭ ଉଦଘାଟନ ଏବଂ ପ୍ରାୟ ୨୭୫ କୋଟି ଟଙ୍କା ବିନିଯୋଗରେ ୧୦୬ ଟି ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଏହି ଜିଲ୍ଲା ପାଇଁ ଏକ ଗର୍ବ ଏବଂ ଗୌରବର ବିଷୟ ଏବଂ ରାଜ୍ୟର ବିକାଶରେ ଏହା ଗୋଟିଏ ନୂତନ ଫର୍ଦ୍ଦ ଯୋଡିବ, ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦଳାର ପାଟପୁର ଅଂଚଳରେ ଆୟୋଜିତ ‘ବିକାଶ ପଥେ ମୟୂରଭଞ୍ଜ’ କାର୍ଯ୍ୟକ୍ରମରେ ଯୋଗଦାନ କରି କହିଛନ୍ତି।
ଏହି ପରିପ୍ରେକ୍ଷୀରେ କପ୍ତିପଦା ଉପଖଣ୍ଡରେ ସମୁଦାୟ ୩୭୫ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏହି ସମସ୍ତ ପ୍ରକଳ୍ପ କପ୍ତିପଦା ଉପଖଣ୍ଡ ପାଇଁ ଏକ ନୂତନ ବିକାଶର ଧାରା ସୃଷ୍ଟି କରିବା ସହିତ ବିକଶିତ ଓଡିଶା ଗଠନ କରିବା ପାଇଁ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
ସୂଚନା ଥାଉକି, ଏହି ପ୍ରକଳ୍ପ ମାନଙ୍କ ମଧ୍ୟରେ ଅଙ୍ଗନବାଡି କେନ୍ଦ୍ର, ଜଳାଶୟର ଉନ୍ନତିକରଣ, ଜନ ସେବା କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ସମବାୟ ସଂସ୍ଥା ଆଦି ଅନେକ ପ୍ରକଳ୍ପ ଜନସାଧାରଣଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେବ। ଏବଂ ବିଶେଷ ଭାବରେ ଆଦିବାସୀ ସଂସ୍କୃତିର ସଂରକ୍ଷଣ ପାଇଁ ଅନେକ ମନ୍ଦିର ଓ ବାଥୁଡି ସମ୍ପ୍ରଦାୟ ପାଇଁ ଗୋଟିଏ କମ୍ୟୁନିଟି ସେଣ୍ଟର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭଉଦ୍ଘାଟନ ତଥା ଶିଳାନ୍ୟାସ କରିଛନ୍ତି।
ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଦଳା ସହିତ ମୋର ସମ୍ପର୍କ ଅତି ନିବିଡ଼ ଓ ନିଆରା। ବିଧାୟକ ହେବା ପୂର୍ବରୁ ମଧ୍ୟ ଏଇ ମାଟି ସହିତ ମୋର ଅତି ଘନିଷ୍ଠ ସମ୍ପର୍କ ରହିଛି । ଏହି ମାଟିର ଭାଷା, ସଂସ୍କୃତି, ପରମ୍ପରା ସହିତ ମୁଁ ଓତଃପ୍ରୋତ ଭାବେ ଜଡିତ। ମୟୂରଭଞ୍ଜକୁ ମୋର ଦ୍ଵିତୀୟ ଘର କହିଲେ ଅତ୍ଯୁକ୍ତି ହେବ ନାହିଁ। ଏ ମାଟିର ମୂଳ ଓ ସ୍ଥାୟୀ ଅଧିବାସୀ ଭାବରେ ଗଣ୍ୟ ଆଦିବାସୀ ସଂପ୍ରଦାୟଙ୍କର ଲୋକ କଳା, ଚଳଣି ଓ ପରମ୍ପରାକୁ ଆମ ପାଇଁ ଗର୍ବର କଥା । ଓଡିଶାର କଳା ଓ ସଂସ୍କୃତିକୁ ଆଦିବାସୀ ସଂସ୍କୃତି ହିଁ ଉଜ୍ଜ୍ୱଳ କରିଛି । ଓଡିଶାର କଳା ଜଗତକୁ ମୟୂରଭଞ୍ଜ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି । ମୟୂରଭଞ୍ଜର ଛଉ ନୃତ୍ୟ ବିଶ୍ୱ ପ୍ରସିଦ୍ଧ । ଅନେକ ଆଦିବାସୀ ନୃତ୍ୟ କଳା ଓ ସଂଗୀତ ମଧ୍ୟ ଓଡିଶା ମାଟିକୁ ସମୃଦ୍ଧ କରିଛି ।
ଏହି କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଓ ଉପସ୍ଥିତ ସମସ୍ତ ସାଂସଦ, ବିଧାୟକ, ଅଧିକାରୀ ଏବଂ ଜନସାଧାରଣ ମୟୂରଭଞ୍ଜ ମାଟିର ସନ୍ତାନ ତଥା କିମ୍ବଦନ୍ତୀ ଓଡ଼ିଆ ସିନେ ଅଭିନେତା ସ୍ବର୍ଗତଃ ଉତ୍ତମ ମହାନ୍ତିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୧ ମିନିଟ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ମହାନ୍ତିଙ୍କ ବିୟୋଗକୁ ରାଜ୍ୟର ତଥା ସିନେ ଜଗତର ଅପୂରଣୀୟ କ୍ଷତି ବୋଲି କହିଥିଲେ।