ଚାଷ ଜମିକୁ ଜଳସେଚନ ସୁବିଧା ଦାବିରେ ଗତକାଲି ରାସ୍ତା ଅବରୋଧ କରିଥିଲେ ଚାଷୀ। ନୂଆପଡ଼ା ଜିଲ୍ଲାର ପ୍ରମୁଖ ଜଳ ସେଚନ ପ୍ରକଳ୍ପ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ତିଖାଲି ଡ୍ୟାମରୁ ମେଗା ଲିଫ୍ଟ ପ୍ରକଳ୍ପ ଚାନ୍ଦୋପଲା ଏକ ଓ ଦୁଇ ବୃହତ୍ ଉଠା ଜଳସେଚନ ପ୍ରକଳ୍ପ ତଥା ଭାଲୁଡୁଙ୍ଗରି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ଦାବିରେ କ୍ରିୟାନୁଷ୍ଠାନ କମିଟି ଚାନ୍ଦୋପଲା ତରଫରୁ ଖଡ଼ିଆଳ ନୂଆପଡ଼ା ରାସ୍ତା ୩୫୩ ରାଜପଥ ଅବରୋଧ କରଯାଇଥିଲା। ଫଳରେ ଯାନ ବାହନ ଯାତାୟତ ବାଧାପ୍ରାପ୍ତ ହୋଇଥିଲା। ଖଡ଼ିଆଳ ବ୍ଲକର ସାନ ମହେଶ୍ୱର, ବର ଗାଁ ଭୋଜପୁର, ଚନାବେଡା ଓ କୋମନା ବ୍ଲକର ପେନ୍ଦ୍ରାବନ୍ ଗ୍ରାମ ପଞ୍ଚାୟତର ୨୪ ଗ୍ରାମର ଚାଷୀ ମାନେ ସାମିଲ ହୋଇଥିଲେ। ଏହି ଗ୍ରାମ ପଞ୍ଚାୟତର ୩୩୨ ହେକ୍ଟର ଜମିକୁ ଜଳସେଚନ ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଛି। ଏପରିକି ୨୦୨୨ ନିର୍ବାଚନ ବର୍ଜନ ପାଇଁ ସମସ୍ତେ ନିଷ୍ପତ୍ତି ନେଇଥିଲେ ମଧ୍ୟ ପ୍ରଶାସନର ପ୍ରତିଶୃତି ପରେ ଲୋକେ ଭୋଟ ଦେଇଥିଲେ। କିନ୍ତୁ ପ୍ରଶାସନ ପ୍ରତିଶ୍ରୁତି ରଖିଲା ନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏଣୁ ରାସ୍ତା ଅବରୋଧ କରିଛନ୍ତି ଚାଷୀ। ଏହି ଗ୍ରାମ ସବୁ ଉକ୍ତ ଡ୍ୟାମରୁ ଏକରୁ ପାଞ୍ଚ କିଲୋମିଟର ଦୂରତା ମଧ୍ୟରେ ଥିଲେ ମଧ୍ୟ ଚାଷ ଜମି ସବୁ ଜଳସେଚିତ ହୋଇ ପାରୁନି। ଅନ୍ୟ ପକ୍ଷରେ ଶହ ଶହ କିଲୋମିଟର ଦୂରରେ ଥିବା ଗାଁ ସବୁ ଜଳସେଚନ ସୁବିଧା ପାଉଛନ୍ତି। ତିଖାଲି ଡ୍ୟାମରୁ ପ୍ରାୟ ୧୬ ହଜାର ଜମି ଜଳସେଚିତ ହୋଇ ପାରୁଛି।
ନୂଆପଡ଼ା ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ ଆନ୍ଦୋଳନକାରୀଙ୍କ ସହ ଆସି ଆଲୋଚନା କରିଥିଲେ। ଅତିଶୀଘ୍ର କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ସେ ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।