ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ବିକଶିତ ଗାଂଆ ବିକଶିତ ଓଡିଶା ଯୋଜନାର ପ୍ରକଳ୍ପ ଅନୁମୋଦନ ପାଇଁ ବୈଠକ ଚାଲିଥିବା ବେଳେ ଗଣ୍ଡଗୋଳ। ଠେଲାପେଲାରେ ଫାଟିଲା ସରପଞ୍ଚଙ୍କ ମୁଣ୍ତ। ଅନ୍ୟ କିଛି ପିଆରଆଇ ମେମ୍ବର ଆହତ ହୋଇଥିବା ସୂଚନା ମିଳିଛି। ଗୁରୁତର ହୋଇଥିବା ସରପଞ୍ଚକୁ ଆମ୍ବୂଲାନ୍ସ ଯୋଗେ ବାଲେଶ୍ବର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବୈଠକରେ ସାଂସଦ ପ୍ରତାପ ଷଡଙ୍ଗୀଙ୍କ ବିନା ଲିଖିତ ଅନୁମୋଦନରେ ପ୍ରତିନିଧି ହିସାବରେ ବିଜେପି ନେତାଙ୍କ ଉପସ୍ଥିତିକୁ ନେଇ ପିଆରଆଇ ମେମ୍ବରଙ୍କ ମଧ୍ୟରେ ହୋଇଛି ଗଣ୍ଡଗୋଳ। ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଠେଲାପେଲା ଏବଂ ଚେୟାର ଫିଙ୍ଗା ଫୋପାଡା ଯୋଗୁ ଡଗରା ପଞ୍ଚାୟତର ସରପଞ୍ଚ ସତ୍ୟନନ୍ଦ ମହାନ୍ତିଙ୍କ ମୁଣ୍ତରେ ଗଭୀର ଆଘାତ ଲାଗିବା ସହ ପ୍ରବଳ ରକ୍ତ ବାହାରିଥିବାରୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବାରୁ ପୋଲିସ ମୂତୟନ କରାଯାଇଥିଲା। ଏନେଇ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ ହୋଇଥିବା ବେଳେ ବାଲିଆପାଳ ବ୍ଲକ ଏବିଡିଓ କହିଛନ୍ତି ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ସହ ସିସିଟିଭି ଫୁଟେଜ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆଯିବ।