ରାଜ୍ୟ ସରକାରଙ୍କ ବିରୋଧରେ କଂଗ୍ରେସ ଆଜି ବିଶାଳ ପ୍ରଦର୍ଶନ କରିଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସ ରାଜଧାନୀ ଭୁବନେଶ୍ବରରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବାକୁ ଉଦ୍ୟମ କରିଛି। ତେବେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବାବେଳେ କଂଗ୍ରେସ କର୍ମୀଙ୍କ ସହିତ ପୁଲିସର ଧସ୍ତାଧସ୍ତି ହୋଇଛି।
ରାଜ୍ୟରେ ମହିଳା ନିର୍ଯାତନା ବୃଦ୍ଧି ପାଇଥିବାରୁ ଏହାକୁ ବିରୋଧ କରି କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଛି। ମହିଳା ସୁରକ୍ଷା ପାଇଁ ପ୍ରଥମେ ତଥ୍ୟ ଅନୁସନ୍ଧାନ କମିଟି ଗଠନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଯିବା ବେଳେ କଂଗ୍ରେସ କର୍ମୀ ଓ ପୁଲିସ ଧସ୍ତାଧସ୍ତି ହୋଇଛନ୍ତି। ବିଜେପି ସରକାର ଆସିବା ଦିନଠୁ ରାଜ୍ୟରେ ଏଯାଏଁ ୧୬୦୦ ମହିଳାଙ୍କ ଉପରେ ଅତ୍ୟାଚାର ହୋଇ ସାରିଲାଣି ବୋଲି କଂଗ୍ରେସ ଅଭିଯୋଗ କରିଛି।