ପ୍ରୟାଗରାଜରେ ଶେଷ ସ୍ତରରେ ପହଁଞ୍ଚିଛି ମହାକୁମ୍ଭ । ଆଉ କିଛି ଦିନ ପରେ ମହାକୁମ୍ଭ ସମାପ୍ତ ହେବ । ପ୍ରତିଦିନ ସଙ୍ଗମ ତଟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଏକଜୁଟ୍ ହୋଇ ସ୍ନାନ କରି ପୂଣ୍ୟ ଅର୍ଜନ କରିଛନ୍ତି । ଏହାରି ଭିତରେ ନିଜ ବ୍ୟବସାୟକୁ ନେଇ ଅନେକ ଲୋକ ମଧ୍ୟ ଖୁବ୍ ଚର୍ଚ୍ଚା ସାଉଁଟିଛନ୍ତି ।
ଅତ୍ୟଧିକ ଜାମ୍ କାରଣରୁ ଅନେକ ଲୋକ ମହାକୁମ୍ଭର ମହାସ୍ନାନରୁ ମଧ୍ୟ ବଂଚିତ ହୋଇଛନ୍ତି । ଏନେଇ ଜଣେ ବ୍ୟକ୍ତି ପ୍ରୟାଗରାଜରେ ଏକ ନିଆରା ବ୍ୟବସାୟ ଆରମ୍ଭ କରିଦେଇଛନ୍ତି । ଯେଉଁଥିରେ ଲୋକ ଘରେ ବସି ଫଟୋ ପଠାଇବେ ଏବଂ ଉକ୍ତ ବ୍ୟକ୍ତିଜଣକ ସଙ୍ଗମରେ ସେହି ଫଟୋକୁ ବୁଡ଼ାଇ ଡିଜିଟାଲ୍ ସ୍ନାନ କରାଇବେ ।
ପଢିଲେ ଅଜବ ଲାଗୁଛି ନା ! ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ନିଜକୁ ପ୍ରୟାଗରାଜର ବାସିନ୍ଦା କହୁଥିବା ଦୀପକ୍ ଗୋୟଲ୍ ନାମକ ଏହି ବ୍ୟକ୍ତିଙ୍କ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଥିରେ ବ୍ୟକ୍ତିଜଣକ ୫ ରୁ ୬ ଟି ପାସପୋର୍ଟ ସାଇଜର ଫଟୋ ହାତରେ ଧରି ସଙ୍ଗମରେ ଫଟୋଗୁଡ଼ିକୁ ବୁଡ଼ାଉଛନ୍ତି ଏବଂ କହୁଛନ୍ତି , ‘ସଙ୍ଗମରେ ବୁଡ଼ ପକାଇନାହାନ୍ତି କି ମନଦୁଃଖ କରନ୍ତୁ ନାହିଁ , ଆପଣ ବି ଚାହିଁଲେ ଡିଜିଟାଲ୍ ସ୍ନାନ କରିପାରିବେ , କେବଳ ହ୍ବାଟ୍ସଆପରେ ନିଜ ଫଟୋ ସେୟାର୍ କରନ୍ତୁ ଆମେ ପ୍ରିଣ୍ଟ୍ ବାହାର କରି ସ୍ନାନ କରାଇବୁ । ଏଥିପାଇଁ ଆପଣଙ୍କୁ କେବଳ ୧୧୦୦ ଟଙ୍କା ଦେବାକୁ ପଡ଼ିବ’ । ତେବେ ଏହି ଭିଡିଓଟି ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ଯାହାକୁ ଦେଖିବା ପରେ ଅସନ୍ତୋଷ ପ୍ରକାଶ ପାଇଛି । ବ୍ୟବସାୟ ନାଁରେ ଲୋକଙ୍କ ଶ୍ରଦ୍ଧା ସହ ଖେଳୁଛନ୍ତି ଏହି ବ୍ୟକ୍ତି , ଏବଂ ଟଙ୍କା ରୋଜଗାର କରିବାର ଏହା ଏକ ହୀନ ପନ୍ଥା ।