ସରକାରୀ ନିୟମ ଅନୁସାରେ ଅଙ୍ଗନବାଡି କେନ୍ଦ୍ର ଓ ବିଦ୍ୟାଳୟ ନିକଟରେ ରହିବ ନାହିଁ ଉଚ୍ଚ କ୍ଷମତାସମ୍ପର୍ଣ୍ଣ ବିଦ୍ୟୁତ ତାର । ପୂର୍ବରୁ ଯେଉଁ ସବୁ ସ୍ଥାନରେ ଏପରି ବିପଦଜ୍ଜନ ଭାବେ ବିଦ୍ୟୁତ ତାର ରହିଥିଲା ତାହାକୁ ହଟାଇ ଦିଆଯାଉଛି । ମାତ୍ର ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଳକ ଅନ୍ତର୍ଗତ ଖେରଙ୍ଗ ଗ୍ରାମ ପଞ୍ଚାୟତରେ । ସୂଚନା ମୁତାବକ ଉକ୍ତ ପଞ୍ଚାୟତର ନୂଆଗାଁ ଗ୍ରାମରେ ଥିବା ନୂଆଗାଁ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଛି ଏକ ନୂତନ ଅଙ୍ଗନବାଡି କେନ୍ଦ୍ରର ନିର୍ମାଣ କାର୍ଯ୍ୟ । ଯାହା ଉପର ଦେଇ ଯାଇଛି ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ବିଦ୍ୟୁତ ତାର । ସେହି ଗ୍ରାମର ଅନ୍ୟତ୍ର ବହୁ ସରକାରୀ ଜାଗା ଥିବା ବେଳେ କଣ ପାଇଁ ବ୍ଳକ ପ୍ରଶାସନ ଏମିତି ଏକ ବିପଦଜ୍ଜନଙ୍କ ସ୍ଥାନରେ ଅଙ୍ଗନବାଡି ଗୃହ ନିର୍ମାଣ ପାଇଁ ଅନୁମତି ଦେଲେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଦ୍ୟାଳୟର ସଭାପତିଙ୍କ ଅଭିଯୋଗ ଅନୁସାରେ ଏଠାରେ ଅବସ୍ଥିତ ସରକାରୀ ବିଦ୍ୟାଳୟଟିର ଭିତ୍ତିଭୂମି ଠିକ ନାହିଁ ଏମିତିକି ପାଞ୍ଚଟି ଶ୍ରେଣୀ ପାଇଁ ମାତ୍ର ଦୁଇଟି ଶ୍ରେଣୀ ଗୃହ ଯାହାର ବର୍ଷା ହେଲେ ଛାତରୁ ପାଣି ଝରୁଛି । ଖାଲି ସ୍ଥାନ ଅଭାବରୁ ତିଆରି ହୋଇ ପାରୁନି ବାଳିକା ମାନଙ୍କ ପାଇଁ ପୃଥକ ଶୌଚାଳୟ । ଗୋଟିଏ ଶୌଚାଳୟ ବ୍ୟବହାର କରୁଛନ୍ତି ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ । ତାସହିତ କିଚେନ ଗାର୍ଡେନ ଓ ପିଲାମାନଙ୍କ ଖେଳିବା ପାଇଁ ଟିକେ ସ୍ଥାନ ବି ନାହିଁ । ଏମିତି କି ସାଧାରଣତନ୍ତ୍ର ଦିବସ ବା ସ୍ଵାଧିନତା ଦିବସରେ ପତାକା ଉତ୍ତୋଳନ କରିବା ପାଇଁ ପିଲାମାନଙ୍କୁ ରାସ୍ତା ଉପରେ ଛିଡା ହେବାକୁ ପଡେ । ଏପରି ଅସୁବିଧାକୁ ହୃଦୟଙ୍ଗମ କରି ଅଙ୍ଗନବାଡ଼ି ଗୃହକୁ ବିଦ୍ୟାଳୟ ପରିସରରେ ନ କରି ଅନ୍ୟତ୍ର ନିର୍ମାଣ କରିବାକୁ ଦାବି କରି ମାନ୍ୟବର ଉଚ୍ଚ ନ୍ୟାୟାଳୟ କେଶ ନଂ WPC- 32151ରେ ଦ୍ୱାରସ୍ଥ ହୋଇଥିଲେ ଜାଗା ଦାନ କରିଥିବା ଉକ୍ତ ଗ୍ରାମର ନବ କିଶୋର ରାଉତଙ୍କ ପରିବାର । ଉଚ୍ଚ ନ୍ୟାୟାଳୟ ଉକ୍ତ ମାମଲାର ତଦନ୍ତ କରିବା ସହ ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟାଳୟ ପରିସରରେ ନ କରି ସରକାରୀ ଖାତା ନମ୍ବର ୧୫୨ ଓ ପ୍ଲଟ ନମ୍ବର ୪୧୪ରେ ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଏହାକୁ ଶାସକ ଦଳର ଚାପରେ ବ୍ଳକ ପ୍ରଶାସନ ସମ୍ପୂର୍ଣ୍ଣ ବେଖାତିର କରି ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛନ୍ତି , ଯାହାକୁ ବିରୋଧ କରିଛନ୍ତି ଗ୍ରାମବାସୀ । ବିଦ୍ୟାଳୟଟି ଜାଗା ଅଭାବରୁ ବହୁ ଅସୁବିଧାରେ ସମ୍ମୁଖୀନ ହେଉଥିବାରୁ ଅଙ୍ଗନବାଡି କେନ୍ଦ୍ରକୁ ବିଦ୍ୟାଳୟ ପରିସରରେ ନିର୍ମାଣ ନ କରି ଅନ୍ୟତ୍ର କରିବାକୁ ଅମରେନ୍ଦ୍ର ନାୟକ, ନାରାୟଣ ନାୟକ, ଭୀମସେନ ରାଉତ ପ୍ରମୁଖ ଗ୍ରାମବାସୀ ଦାବି କରିଛନ୍ତି ।