ନୂଆଦିଲ୍ଲୀ ରେଳ ଷ୍ଟେସନରେ ଘଟିଥିବା ଦଳାଚକଟାରେ ୧୮ ଜଣଙ୍କ ଜୀବନ ଯାଇଛି । ଆହତଙ୍ତୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିବା ବେଳେ ମୃତ୍ୟୁ ସଂଖ୍ୟା ବଢିବ ବୋଲି ଆଶଙ୍କା କରାଯାଉଛି । ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ ଯୋଗୁ ଷ୍ଟେସନରେ ଦଳାଚକଟା ହୋଇଥିଲା। ଯାହାକୁ ନେଇ ରେଳବାଇ କ୍ଷତିପୂରଣ ଘୋଷଣା କରିଛି। ଦଳାଚକଟାରେ ମୃତକଙ୍କ ପରିବାରକୁ ରେଳବାଇ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ଘୋଷଣା କରିଛି। ସେହିପରି ଗୁରୁତର ଆହତଙ୍କୁ ୨.୫ ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୧ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ଆର୍ଥିକ ସହାୟତା ଦିଆଯିବ। ଶନିବାର ରାତି ପ୍ରାୟ ୧୦ଟାରେ ନୂଆଦିଲ୍ଲୀ ରେଳ ଷ୍ଟେସନରେ ଦଳାଚକଟା ହୋଇଥିଲା। ଷ୍ଟେସନରେ ମହାକୁମ୍ଭ ଯାଉଥିବା ଯାତ୍ରୀମାନଙ୍କର ଏକ ବିରାଟ ଭିଡ଼ ଜମିଥିଲା। କିଛି ସମୟ ମଧ୍ୟରେ ଷ୍ଟେସନରେ ଦଳାଚକଟା ହୋଇଥିଲା। ବାସ୍ତବରେ ବିଳମ୍ବିତ ରାତିରେ ଦିଲ୍ଲୀ ରେଳ ଷ୍ଟେସନରେ ଦଳଚକଟା ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଘଟଣାର କାରଣ ଏବେ ସାମ୍ନାକୁ ଆସିଛି । ଏହି ଘଟଣାରେ ତଦନ୍ତ ରିପୋର୍ଟରୁ ଜଣାପଡିଛି ଯେ, ମହାକୁମ୍ଭ ଭକ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ ଘୋଷଣା ହେବା ପରେ, ପ୍ରୟାଗରାଜକୁ ଟିକେଟ୍ ବିକ୍ରିରେ ହଠାତ୍ ବୃଦ୍ଧି ହେବା ଦ୍ବାରା ଏଭଳି ଦୁଃଖଦ ଘଟଣା ଘଟିଛି । ରିପୋର୍ଟ ଅନୁସାରେ, ରେଳ କର୍ତ୍ତୃପକ୍ଷ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ପ୍ରାୟ ୧୫୦୦ ସାଧାରଣ ଟିକେଟ୍ ଜାରି କରୁଥିଲେ । ଯାହାକୁ ନେଇ ଟିକେଟ ପାଇବା ପାଇଁ ଲୋକଙ୍କ ମଧ୍ୟରେ ଦଳଚକଟା ସ୍ଥିତି ଉପୁଜିଥିଲା । ଶନିବାର ରାତିରେ, ଶହ ଶହ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ପ୍ଲାଟଫର୍ମ ୧୪ରେ ଅପେକ୍ଷା କରିଥିଲେ । ଏହି ସମୟରେ ବହୁ ସଂଖ୍ୟକ ଯାତ୍ରୀ ମଧ୍ୟ ନୂଆଦିଲ୍ଲୀରୁ ଦରଭଙ୍ଗା ଯାଉଥିବା ସ୍ୱତନ୍ତ୍ରତା ସେନାନୀ ଏକ୍ସପ୍ରେସରେ ଚଢ଼ିବା ପାଇଁ ପ୍ଲାଟଫର୍ମ ୧୩ରେ ଅପେକ୍ଷା କରିଥିଲେ । ହେଲେ ସେନାନୀ ଏକ୍ସପ୍ରେସ ବିଳମ୍ବିତ ହେବାରୁ, ଏହାକୁ ମଧ୍ୟରାତ୍ରିକୁ ପୁନଃନିର୍ଦ୍ଧାରିତ କରାଯାଇଥିଲା । ଫଳରେ ତାର ଯାତ୍ରୀମାନେ ମଧ୍ୟ ପାଖ ପ୍ଲାଟଫର୍ମରେ ଅପେକ୍ଷା କରିଥିଲେ । ଆଉ ଯେତେବେଳେ ରେଳ କର୍ତ୍ତୃପକ୍ଷ ପ୍ରୟାଗରାଜ ପାଇଁ ପ୍ରତି ଘଣ୍ଟାରେ ପ୍ରାୟ ୧୫୦୦ ସାଧାରଣ ଟିକେଟ୍ ବିକିବା ଘୋଷଣା କରିଥିଲେ, ଯେତେବେଳେ ଅତିରିକ୍ତ ଟିକେଟ ପାଇଁ ପ୍ଲାଟଫର୍ମ ୧୪ରେ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା । ଯାହା ଫଳରେ ଲୋକଙ୍କ ପାଇଁ ଛିଡା ହେବା ବି କୌଣସି ସ୍ଥାନ ଖାଲି ନଥିଲା । ଏହାପରେ ଦଳାଚକଟା ସ୍ଥିତି ଉପୁଜିଥିଲା ।