ପୁଣି କମ୍ପିବ ବିଧାନସଭା । ରଣନୀତି ପ୍ରସ୍ତୁତ କରି ରଖିଛନ୍ତି ବିରୋଧି । ସରକାରଙ୍କୁ ପ୍ରଶ୍ନ ପରେ ପ୍ରଶ୍ନ କରି ଘେରିବେ ବିରୋଧି କଂଗ୍ରେସ ଓ ବିଜେଡି । କାରଣ ଫେବୃଆରୀ ୧୩ରୁ ୨୧ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ବିଧାନସଭାର ବଜେଟ ଅଧିବେଶନ ଚାଲିବ । ସେହିପରି ମାର୍ଚ୍ଚ ୭ରୁ ଏପ୍ରିଲ ୫ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଚାଲିବ। ଏହି ଅଧିବେଶନ ୨୮ଦିନ ଚାଲିବାକୁ ଥିବାବେଳେ ବାଚସ୍ପତି ସୁରମା ପାଢୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଟିତ ହୋଇଛି । ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧୀ ବିଜେଡି ଓ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡିଛି । ଅନ୍ୟପଟେ ବିରୋଧୀଙ୍କୁ ମୁକାବିଲା କରିବା ପାଇଁ ଶାସକ ଦଳ ଯୋଜନା ପ୍ରସ୍ତୁତ କରିଛି । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ମଧ୍ୟ ରାଜ୍ୟବାସୀଙ୍କ ସ୍ବାର୍ଥ ପାଇଁ ଯୁଦ୍ଧ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜ୍ୟରେ ବେକାରୀ ସମସ୍ୟା ବଢୁଛି । ଉତ୍କର୍ଷ ଓଡ଼ିଶା ଏବଂ ପ୍ରବାସୀ ଭାରତୀୟ ଦିବସରେ କେତେ ଶିଳ୍ପ ଆସିଲା ଏବଂ କେବେ କାର୍ଯ୍ୟକାରୀ କରାଯାଇ ନିଯୁକ୍ତି ସୃଷ୍ଟି କରାଯିବ ବୋଲି ଅଧିବେଶନରେ ଜବାବ ମାଗିବ କଂଗ୍ରେସ । ଅନ୍ୟପଟେ ବିଜେଡି ବିଧାୟକ ଦଳ ବୈଠକ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମଧ୍ୟ ଶଙ୍ଖ ଭବନରେ ବସିବ । ଗୃହରେ କେଉଁ ପ୍ରସଙ୍ଗ ଉଠାଯିବ ସେ ବିଷୟରେ ନିଷ୍ପତ୍ତି ନିଆଯିବ। ଅନ୍ୟପଟେ ଶାସକ ବିଧାୟକ ଦଳ ବୈଠକ ମୁଖମନ୍ତ୍ରୀ ମୋହନଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭାର ୫୪ନମ୍ବର ପ୍ରକୋଷ୍ଠରେ ଅନୁଷ୍ଠିତ ହେବ । ତେବେ ସରକାରଙ୍କୁ ଘେରିବା ପାଇଁ ବିରୋଧି ରଣନୀତି ପ୍ରସ୍ତୁତ କରୁଥିବା ବେଳେ ପ୍ରଶ୍ନର ସଠିକ୍ ତଥ୍ୟ ସହ ଉତ୍ତର ରଖିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ସରକାରୀ ଗୋଷ୍ଠୀ ।