ଦୀର୍ଘ ମାସର କଳ୍ପନା ଜଳ୍ପନା ସମାଲୋଚନାରେ ପଡିଲା ପୁନଚ୍ଛେଦ । ଶେଷରେ ଓଡିଶା ମୁଖିଆ ଭାବେ ଭକ୍ତ ଦାସଙ୍କ ନାଁ ଘୋଷଣା କଲେ ହାଇ କମାଣ୍ଡ । ପିସିସି ସଭାପତି ତାଲିକାରେ ଅନେକ ତୁଙ୍ଗ ନେତାଙ୍କ ଲବି ରହିଥିଲେ ମଧ୍ୟ ଭକ୍ତଙ୍କ ନାଁରେ ବାଜିଛି ମୋହର । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ପିସିସି ସଭାପତି ଭାବେ ଏଆଇସିସି ନିଯୁକ୍ତି ଦେଇଛି। ଏଆଇସିସି ସାଧାରଣ ସଂପାଦକ କେ.ସି ବେଣୁଗୋପାଳ ପ୍ରେସ୍ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ଦୟନୀୟ ପ୍ରଦର୍ଶନ ପରେ କଂଗ୍ରେସ ହାଇକମାଣ୍ଡ ଜୁଲାଇ ୨୧ ତାରିଖରେ ଓଡ଼ିଶାର ସବୁ କଂଗ୍ରେସ କମିଟିକୁ ଭାଙ୍ଗି ଦେଇଥିଲେ। ଏହି ସମୟରେ ସଭାପତି ଥିବା ଶରତ ପଟ୍ଟନାୟକଙ୍କୁ ମଧ୍ୟ ତାଙ୍କ ପଦରୁ ହଟାଇ ଦିଆଯାଇଥିଲା। ସଭାପତି ନ ଥିବାରୁ ଏକ ଷ୍ଟିୟରିଂ କମିଟି ଜରିଆରେ ଓଡ଼ିଶା କଂଗ୍ରେସକୁ ପରିଚାଳନା କରାଯାଉଥିଲା। ଦଳର ସାଙ୍ଗଠିନକ କାର୍ଯ୍ୟ ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେଣୁ ଓଡ଼ିଶା କଂଗ୍ରେସର କିଏ ମଙ୍ଗ ଧରିବ ଏହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ୨ମାସ ତଳେ ଛତିଶଗଡ଼ କଂଗ୍ରେସ ବିଧାୟକ ଦଳ ନେତା ଚରଣଦାସ ମହାନ୍ତ ଓ ନେତ୍ରୀ ମୀନାକ୍ଷୀ ନଟରାଜନ ଓଡ଼ିଶା ଆସି ସଭାପତି ଚୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଥିଲେ। ସାଂସଦ ସପ୍ତଗିରି ଉଲ୍ଲାକା, ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ ଓ ଭକ୍ତ ଚରଣ ଦାସଙ୍କ ନାଁକୁ ନେଇ ଚର୍ଚ୍ଚା ଚାଲିଥିଲା। ସଭାପତି ଘୋଷଣା ବିଳମ୍ବ ହେଉଥିବାରୁ ରାଜ୍ୟର ବରିଷ୍ଠ କଂଗ୍ରେସ ନେତାମାନେ ଅସନ୍ତୋଷ ପ୍ରକାଶ କରିବା ପରେ ଦିଲ୍ଲୀ ନିର୍ବାଚନ ପରେ ପିସିସି ସଭାପତି ନିଯୁକ୍ତି ଦିଆଯିବ ବୋଲି ସଙ୍କେତ ଦେଇଥିଲେ ହାଇକମାଣ୍ଡ। ଶେଷରେ ଭକ୍ତଙ୍କ ନାଁରେ ଆଜି ଏଆଇସିସି ମୋହର ମାରିଛି। ଭକ୍ତ ଦାସ ଥରେ ବିଧାୟକ ଓ ୩ଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସଙ୍କୁ ଗାନ୍ଧୀ ପରିବାରର ନିକଟତର ବୋଲି କୁହାଯାଏ । ଏପରିକି ସେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀଙ୍କ ବେଶ ଖାସ୍ ବୋଲି ସମସ୍ତେ ଜାଣନ୍ତି । ଏଥି ସହ ଜଣେ କଂଗ୍ରେସ ନେତା ଭାବେ ଭକ୍ତ ଦାସଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି । ତାଛଡା ରାଜ୍ୟ କଂଗ୍ରେସର ଓଡ଼ିଶାରେ ଗୋଟିଏ ସ୍ୱତନ୍ତ୍ର ଭୋଟ୍ ବ୍ୟାଙ୍କ୍ ରହିଛି । ଆଉ ଭକ୍ତ ଦାସ ହେଉଛନ୍ତି ଦଳିତ ବର୍ଗର । ତେଣୁ ତାଙ୍କୁ ସଭାପତି ଆସନରେ ବସେଇ, ଆସନ୍ତା ପଞ୍ଚାୟତ ନିର୍ବାଚନରେ ଦଳିତ ବର୍ଗର ଭୋଟ୍ ହାତେଇବାକୁ ଆଖି ରଖିଛି କଂଗ୍ରେସ । ତେଣୁ ଭକ୍ତଙ୍କ ହାତାରେ ଦାୟିତ୍ବ ଦେଇ କଂଗ୍ରେସ ଉଚିତ୍ ନିଷ୍ପତ୍ତି ନେଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।