ଦିଲ୍ଲୀରେ ରିପିଟ ହେଲା ଓଡିଶାର ଅବସ୍ଥା । ଆପ୍ ପାଇଁ କାଳ ହେଲା ଅତ୍ୟଧିକ ଆତ୍ମବିଶ୍ବାସ । ଭୁଲ ରଣନୀତି ଓ ଦୃଢ ଆତ୍ମବିଶ୍ବାସ ପାଇଁ ବିଜେଡି ଭଳି ଦଶା ଭୋଗିଲା ଆପ୍ ପାର୍ଟି । ଓଡିଶାରେ ନବୀନଙ୍କୁ ହରାଇବା ପରେ ଦିଲ୍ଲୀରେ ଆପ ହାରିବା ନେଇ ଏବେ ସବୁଠି ଚର୍ଚ୍ଚା ବଢିଛି । ବିଜେପିର ବିଜୟ ଅପେକ୍ଷା ଆଞ୍ଚଳିକ ଦଳ ହାରିବା ନେଇ ସାଧାରଣରେ ଚିନ୍ତା ବଢିଛି । ତେବେ ଯେଉଁ କାରଣରୁ ଓଡ଼ିଶାରେ ବିଜୁ ଜନତା ଦଳ ପରାଜୟ ଭୋଗିଥିଲା, ସେଇ କାରଣରୁ ଆମ୍ ଆଦ୍ମୀ ପାର୍ଟିକୁ ପରାଜିତ ହେବାକୁ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି ।
ଉଭୟ ବିଜେଡି ଓ ଆପ୍ ଆଞ୍ଚଳିକ ଦଳ ହିସାବରେ ଦୁର୍ନୀତି ହଟାଇବାର ସ୍ଲୋଗାନ ଦେଇ ବିକାଶକୁ ପ୍ରସଙ୍ଗ କରି କ୍ଷମତାକୁ ଆସିଥିଲେ। କିନ୍ତୁ ଦୀର୍ଘ ବର୍ଷ କ୍ଷମତାରେ ରହିବା ଭିତରେ ଦଳର ମୁଖିଆଙ୍କ ମନମୁଖି ଏକଚାଟିଆ ନିଷ୍ପତ୍ତି ଦଳକୁ ଲୋକଙ୍କଠାରୁ ଦୂରେଇ ନେଲା ଏବଂ ଲୋକେ ମୁହଁ ଫେରାଇ ନେଲେ ବୋଲି ଆଲୋଚନା ହେଉଛି ।
ଉଭୟ ଦଳ ସେମାନଙ୍କ ଶାସନ କାଳରେ ବିକାଶ ଉପରେ ଧ୍ୟାନ ଦେଇଥିଲେ ହେଁ ବିକାଶ ପଛରେ ଦୁର୍ନୀତି ଓ ଅନିୟମିତତା ବି ରହିଥିଲା ବୋଲି ଚର୍ଚ୍ଚା ହେଉଛି । ଓଡ଼ିଶାରେ ବିଜେଡି ସରକାର ଅଣଓଡ଼ିଆ ପ୍ରଶାସକଙ୍କ ରାଜୁତି ପାଇଁ ଲୋକଙ୍କ କ୍ରୋଧର ଶିକାର ହେଲା। ଦଳର ନେତା, ମନ୍ତ୍ରୀଙ୍କ ଅପେକ୍ଷା ଅମଲାତନ୍ତ୍ର ଅଧିକ ମାତ୍ରାରେ ସକ୍ରିୟ ରହିଲା। ବିଜେପି ଏହି ମଉକାରେ ନିର୍ବାଚନ କାଳରେ ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ଲୋକଙ୍କ ସମର୍ଥନ ହାସଲ କଲା ଏବଂ କ୍ଷମତାକୁ ଆସିଲା।
ଦିଲ୍ଲୀରେ କେଜରିୱାଲ ସରକାର ଦୁର୍ନୀତିମୁକ୍ତ ଶାସନ ଓ ବିକାଶ ନାରା ଦେଇ କ୍ଷମତାକୁ ଆସିଥିଲା। ମାତ୍ର ବିକାଶ ଅପେକ୍ଷା ଦିଲ୍ଲୀ ସରକାର ଅବକାରୀ ଦୁର୍ନୀତି ପାଇଁ ବେଶୀ ନିନ୍ଦିତ ହେଲା। ଏଠାରେ ପ୍ରଦୂଷଣ ରୋକିବାରେ ମଧ୍ୟ ଆପ୍ ବିଫଳ ହେଲା। ଯେଉଁ ସାଧାରଣ ଲୋକ ଆଶାଠୁ ଅଧିକ ସମର୍ଥନ ଦେଇ କେଜରିୱାଲଙ୍କୁ କ୍ଷମତାସୀନ କରାଇଥିଲେ ସେଇ ଜନତା ଆପ୍ ସରକାରକୁ ବିଦା କରିଦେଲେ। ଏପରିକି ସରକାର ଗଢ଼ିବା ପୂର୍ବରୁ ଆନ୍ଦୋଳନ ସମୟରେ କେଜରିୱାଲଙ୍କ ସମର୍ଥକ ଥିବା ଆନ୍ନା ହଜାରେଙ୍କ ଭଳି ବହୁ ସ୍ବାଭିମାନୀ ତାଙ୍କଠାରୁ ଦୂରେଇ ଗଲେ ଏବଂ ଅନେକ ତାଙ୍କର ଶତ୍ରୁ ପାଲଟିଗଲେ।
ଠିକ୍ ସେହିପରି ଆପ୍ ବିଭିନ୍ନ ମାମଲାରେ ଛନ୍ଦି ହେବା ପରେ ବି ଦଳର ମୁଷ୍ଟିମେୟ ନେତା ଏଥିପ୍ରତି ସେତେଟା ଗୁରୁତ୍ବ ଦେଉ ନଥିଲେ। ଦଳ ସଜାଡ଼ିବା ପରିବର୍ତ୍ତେ ବିରୋଧୀଙ୍କ ମୁକାବିଲା ପାଇଁ ଅଧିକ ସମୟ ଦେଉଥିଲେ। କେଜରିୱାଲଙ୍କ ଭାବମୂର୍ତ୍ତି, ଭାଷଣ ଓ ଶାରୀରିକ ପରିଭାଷା ବି ବଦଳି ଯାଇଥିଲା। ସାଧାରଣ ଲୋକଙ୍କ କଥା ପାସୋରି ଯାଇଥିଲେ ଏବଂ ଏଥର ତାଙ୍କ ଭାଷଣ ଭୋଟରଙ୍କୁ ଛୁଇଁପାରି ନଥିଲା । ଦଳୀୟ ନେତା ବିଭିନ୍ନ ମାମଲାରେ ଫସି ଯାଇଥିବା ବେଳେ କିଛି ନେତା ସ୍ବାର୍ଥକୁ ଅଗ୍ରାଧିକାର ଦେଇଥିଲେ। ବିଜେପି ଏଠାରେ ନିଜର ସଙ୍ଗଠନକୁ ମଜଭୁତ କରିବା ସହିତ ଆପ୍ ଯେଉଁସବୁ କ୍ଷେତ୍ରରେ ବିଫଳ ହୋଇଛି ସେସବୁକୁ ପ୍ରସଙ୍ଗ କରି ଭୋଟରଙ୍କ ନିକଟକୁ ଯାଇଥିଲା। ନିର୍ବାଚନ ରଣନୀତିକୁ ଶାଣିତ କରିଥିଲା। ଆପ୍ ଯେ ଦିଲ୍ଲୀ ପାଇଁ ବିପଦ ସେ ବାର୍ତ୍ତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠାରୁ ଆରମ୍ଭ କରି ଦଳୀୟ ନେତା ପ୍ରଚାର କରିଥିଲେ। ଏଭଳି ସ୍ଥିତିରେ କେଜରିୱାଲ ତାଙ୍କ ଭାବମୂର୍ତ୍ତିକୁ ସଜାଡ଼ିବା ପାଇଁ ସମୟ ପାଇ ନଥିଲେ। ଯାହା ବିଜେପିକୁ ଆଗକୁ ବଢିବାକୁ ପ୍ରଶୟ ଦେଇଥିଲା ।