ମାଟିରେ ଫଳିଛି ପେନ୍ଥା ପେନ୍ଥା ଷ୍ଟ୍ରବେରୀ , ନାଲି ଟହ ଟହ ଷ୍ଟ୍ରବେରୀ ଦେଖି ଦେଖଣାହାରୀଙ୍କ ମନ ଖୁସି ହୋଇ ଯାଉଛି। ଏହା ଏକ ବିଦେଶୀ ଫଳ ହୋଇଥିବା ବେଳେ ଧିରେ ଧିରେ ଦେଶୀ ଲୋକ ଆପଣେଇ ନେଉଛନ୍ତି। ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକରେ ପ୍ରଥମ ଥର ଏହି ଚାଷ ହୋଇଛି |
ନୂଆପଡ଼ା ଜିଲ୍ଲାର ସୁନାବେଡ଼ା ଅଞ୍ଚଳରେ ପାଇଲଟ ପ୍ରୋଜେକ୍ଟ ଭାବରେ ପ୍ରଥମ ଥର ଷ୍ଟ୍ରବେରୀ ଚାଷ କରାଯାଇଥିଲା। ତହିଁରେ ସଫଳତା ପରେ ଏବେ ଜିଲ୍ଲାର ବୋଡ଼େନ ବ୍ଲକର ଭେରୁଆ ମାଲ ଗ୍ରାମରେ ଏହି ଚାଷ ଉଦ୍ୟାନ ବିଭାଗ ତରଫରୁ କରାଯାଇଛି। ଗ୍ରାମର ଯୋଗେନ୍ଦ୍ର ମାଝୀ ଓ ଯୁଧିଷ୍ଟିର ମାଝୀ ନିଜ ବାଡିରେ ପ୍ରଥମ ଥର ଏହି ଚାଷ କରିଥିବା ଏବେ ଫଳ ଫଳିବା ଆରମ୍ଭ କରିଛି। ଉଦ୍ୟାନ ବିଭାଗ ତରଫରୁ ଏହି ଦୁଇ ଚାଷୀଙ୍କୁ ଚାରା ସହ ଅନ୍ୟାନ୍ୟ ସହଯୋଗ କରାଯାଇଛି। ଦୁଇ ଚାଷୀ ନିଜର ପଚିଶ ପଚିଶ ଡିସିମିଲ ଜମିରେ ଷ୍ଟ୍ରବେରୀ ରୋପଣ କରିଛନ୍ତି। ପ୍ରତି ପଚିଶ ଡିସିମିଲ ଜମି ପାଇଁ ପାଞ୍ଚ ହଜାର ପାଞ୍ଚଶହ ( ଦୁଇ ଚାଷୀଙ୍କୁ ଏଗାର ହଜାର) ଚାରା ଯୋଗାଇ ଦିଆ ଯାଇଥିଲା। ତା ସହିତ ଡ୍ରିପ୍ ଓ ମଲଚିଂ ସହଯୋଗ କରାଯାଇଥିଲା। ଏଥିପାଇଁ ବିଭାଗ ତରଫରୁ ଚାଷୀ ପ୍ରତି ଚାଳିଶି ହଜାର ଟଙ୍କା ପର୍ଯ୍ୟନ୍ତ ଉଦ୍ୟାନ ବିଭାଗ ଖର୍ଚ୍ଚ କରିଥିଲା। ଗତ ନଭେମ୍ବର ଶେଷ ସପ୍ତାହରେ ଚାରା ଲଗା ଯାଇଥିବା ବେଳେ ଏବେ ପ୍ରବଳ ମାତ୍ରାରେ ଫଳ ଫଳିଛି। ଦୁଇ ରୁ ଅଢେଇ ମାସ ମଧ୍ୟରେ ଫଳ ହେଉଥିବାରୁ ଚାଷୀ ବହୁତ୍ ଖୁସି। ଏଥିରେ ଜୈବିକ ଚାଷ ପ୍ରୟୋଗ କରାଯାଇଥିବା ଚାଷୀ କହିଛନ୍ତି। ବିକ୍ରି ବ୍ୟବସ୍ଥା ହେଲେ ଖର୍ଚ୍ଚ ର ଦୁଇ ଗୁଣ ଲାଭ ହେବ ବୋଲି ଜଣାପଡିଛି।
ଷ୍ଟ୍ରବେରୀ ର ମୁଖ୍ୟ ସମସ୍ୟା ହେଲା ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା। ବଜାରରେ ଏହାର କିଲୋଗ୍ରାମ ଦର ଚାରିଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏହାକୁ ପ୍ୟାକେଜ କରି ବେପାରୀ ମାନଙ୍କୁ ଦେଲେ ସେମାନେ ବିକ୍ରି କରିବେ।ଅଧିକ ଦର ହେତୁ ସ୍ଥାନୀୟ ଅଞ୍ଚଳରେ ଏହାର ଚାହିଦା କମ ରହିଛି। ଏହାକୁ ପ୍ୟାକେଟ କରି ଭୁବନେଶ୍ୱର, ରାୟପୁର ଆଦି ଅଞ୍ଚଳକୁ ପଠାଇଲେ ଚାଷୀ ଦୁଇ ପଇସା ଲାଭ କରିବା ସହ ଅନ୍ୟ ଚାଷୀ ମାନେ ଏହି ଚାଷ ପ୍ରତି ମନୋନିବେଶ କରିବେ। ଏନେଇ ବୋଡ଼େନ ଉଦ୍ୟାନ ବିଭାଗର ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବୀନ୍ଦ୍ର ନାଗଙ୍କୁ ପଚାରିବାରୁ ବିକ୍ରି ପାଇଁ ବ୍ୟବସ୍ଥା କରିବେ ବୋଲି କହିଛନ୍ତି।