ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦିଲ୍ଲୀରେ ଏକଜିଟ୍ ପୋଲ୍ ଏକଜାଟ୍ ପୋଲରେ ପରିଣତ ହୋଇଛି । ନୂଆଦିଲ୍ଲୀ ଆସନରୁ ହାରିଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ, ଆଉ ଜିତିଛନ୍ତି ବିଜେପି ପ୍ରାର୍ଥୀ ପରଭେଶ ବର୍ମା । ଟ୍ରେଣ୍ଡ ଅନୁସାରେ ବିଜେପି ଏଠାରେ ସରକାର ଗଢିବାକୁ ଯାଉଛି । ଆଉ ଆମ ଆଦମୀ ପାର୍ଟିର ଦବଦବା ଶେଷ ହେବାକୁ ଯାଉଛି । ତେବେ ଦିଲ୍ଲୀରେ ଆପର ଏଭଳି ପ୍ରଦର୍ଶନ ପରେ ଆପକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସାମାଜିକ କର୍ମୀ ଆନ୍ନା ହଜାରେ ।
ସେ କହିଛନ୍ତି, ମୁଁ ସବୁବେଳେ କହିଛି ପ୍ରାର୍ଥୀଙ୍କ ବ୍ୟବହାର, ତାଙ୍କ ବିଚାର ଶୁଦ୍ଧ ହେବା ଦରକାର । ଜୀବନରେ କୌଣସି ଦାଗ ନ ହେବା ଦରକାର । ଭଲ ଗୁଣରେ ମତଦାତାଙ୍କ ବିଶ୍ୱାସ ବଢିଥାଏ । ମୁଁ କେଜ୍ରିଓ୍ୱାଲଙ୍କୁ ଏହି ସବୁ କହିଥିଲି ହେଲେ ସେ ଧ୍ୟାନ ଦେଇନଥିଲେ । ସେ ମଦ ଉପରେ ଫୋକସ କରିଥିଲେ । ସେ ସତ୍ତା ବଳରେ ଖୁସି ଥିଲେ । ବିଚାର ଶୁଦ୍ଧ ହେବା, ଜୀବନ ନିଷ୍କଳଙ୍କ ହେବା, ଜୀବନରେ ତ୍ୟାଗ ହେବା… ଏହି ସବୁ ଗୁଣ ରହିଲେ ମତଦାତାଙ୍କ ବିଶ୍ୱାସ ରହିବ ଯେ ପ୍ରାର୍ଥୀ ଆମ ପଇଁ କିଛି କରିବ ।
ଆନ୍ନା ହଜାରେ ରାଜନୀତିରେ ଯୁବାଙ୍କୁ ଆସିବା ଉପରେ କହିଛନ୍ତି କି, ଯୁବା ଶକ୍ତି ଆମ ରାଷ୍ଟ୍ର ଶକ୍ତି ଯୁବା ଶକ୍ତି ଜାଗ୍ରତ ହେଲେ ଦେଶ ତିଆରି ହେବ । ମୁଁ ଯେତେବେଳେ ୧୭ ବର୍ଷର ଥିଲି ସେତେବେଳେ ନିଷ୍ପତ୍ତି ନେଇଥିଲି ଯେଉଁ ଯାଏଁ ବଞ୍ଚିଥିବି ସମାଜ ଆଉ ଦେଶ ପାଇଁ କାମ କରିବି । ଯେତେବେଳେ ବି ମରିବି ଦେଶର ସେବା କରି ମରିବି ।
ଦିଲ୍ଲୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି ଅରବିନ୍ଦ କେଜ୍ରିଓ୍ୱାଲ । ସେ ନୂଆ ଦିଲ୍ଲୀ ଆସନରେ ବିଜେପି ପ୍ରାର୍ଥୀ ପରବେଶ ବର୍ମା ବିଜୟୀ ହୋଇଛନ୍ତି । ଏହି ଆସନରୁ କେଜ୍ରିଓ୍ୱାଲ ୨୦୧୩ ମସିହାରୁ ଜିତି ଆସୁଥିଲେ । ହେଲେ ଏବେ ତାଙ୍କୁ ପରାଜୟ ସ୍ବିକାର କରିବାକୁ ପଡୁଛି ।