କେବେ ସରିବ ଚାଷୀଙ୍କ ଦୁଃଖ । କେବେ ଭାଙ୍ଗିବ ସରକାରଙ୍କ ନିଦ । କେବେ ଉଠିବ ସେ ଧାନ ବିକ୍ରି କରିପାରିବେ ତ ଅନ୍ନଦାତା । ଏହି ପ୍ରଶ୍ନ ଦୀର୍ଘ ବର୍ଷ ହେବ ଉଠୁଥିଲେ ବି ସଠିକ ଉତ୍ତର ପାଇପାରୁନି ଚାଷୀ । ଦିନକୁ ଦିନ ବଢୁଛି ଚାଷୀଙ୍କ ଟେନସନ୍ , ଚାଷୀଙ୍କ ପାଇଁ ଧାନ ବିକ୍ରି ଚିନ୍ତା ବେଶ୍ ଗମ୍ଭୀର ହେଉଥିବା ଦେଖିବାକୁ ମିଳୁଛି । ମଣ୍ଡିରେ ଧାନ ବିକ୍ରି ହୋଇପାରୁ ନଥିବା ବେଳେ ବଢୁଛି ମିଲରଙ୍କ ମନମାନୀ । ସମସ୍ୟା ବଢିବା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ତାତିଲେଣି ଚାଷୀ । କେଉଁଠି ରାସ୍ତା ଉପରେ ଧାନ ରଖି ପ୍ରତିବାଦ କରାଯାଉଥିବା ବେଳେ କେଉଁଠି ମଣ୍ଡି ଆଗରେ ବିକ୍ଷୋଭ କରିଛନ୍ତି ଚାଷୀ । ଏହାରି ଭିତରେ ମଣ୍ଡି ସମସ୍ୟା ନେଇ ବିଭିନ୍ନ ଜିଲ୍ଲା ପ୍ରଶାସନକୁ ଘେରିଛନ୍ତି ଚାଷୀ । ମଣ୍ଡିରେ ଧାନର ମାନ ଯାଞ୍ଚ କରାଯାଉଥିବା ବେଳେ ମିଲରମାନେ ପୁଣି ଥରେ ଯାଞ୍ଚ କରି ମନଇଛା କଟନୀ ଛ+ଟନି କରୁଥିବା ନେଇ ସଂଘାତିକ ଅଭିଯୋଗ ହୋଇଛି । ଅନ୍ୟପଟେ ମଣ୍ଡିକୁ ଧାନ ଆଣିବା ପୂର୍ବରୁ ଚାଷୀ ନିଜ ଅମଳ ଶସ୍ୟକୁ ସୁରକ୍ଷିତ ରଖିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରିବା ସହ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ବର୍ଷ ତମାମ ଝାଳ ବୁହାଇ, ଧାର କରଜ କରି ଫସଲ କରୁଥିବା ବେଳେ ଅମଳ ଧାନ ବିପଦସଂକୁଳ ଅବସ୍ଥାରେ ପଡିରହୁଛି । କେଉଁଠି ଚାଷୀଙ୍କ ପାଇଁ ଧାନ ଖଳାଟିଏ ନାହିଁ ତ ପୁଣି କେଉଁଠି କେଉଁଠି ଧାନ ରଖିବା ପାଇଁ ଗୋଦାମ ଘର ନାହିଁ । ଚାଷୀମାନେ ନିଜର ସମସ୍ୟା ନେଇ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ନେଇ କୋହ ଭରା କଣ୍ଠରେ ଅଭିଯୋଗ କରିଛନ୍ତି ଚାଷୀ । ତେବେ ଏନେଇ କେବେ କାର୍ଯ୍ୟାନୁଷ୍ଠାନ ହେଉଛି ତାହା ଦେଖିବାକୁ ବାକି ରହିଲା ।