ପେଟ ପୋଷିବା ପାଇଁ ଘର ଛାଡି ରାତି ରାତି ଅନିଦ୍ରା ରହି ମନୋରଞ୍ଜନ କରନ୍ତି ଯାତ୍ରା କଳାକାର । ଦିନେ ଯାତ୍ରା କହିଲେ ପୁରାଣ କଥା ଓ ପାରିବାରିକ କାହାଣୀକୁ ବୁଝାଉଥିଲା । ପରିବାର ସହ ଯାତ୍ରା ଦେଖିବାକୁ ଯାଉଥିଲେ ଲୋକେ । ମାତ୍ର ଏବେ ଯାତ୍ରା ନାଁ ରେ ଲାଗିଛି କଳଙ୍କ । ଆଇଟମ ଡ୍ୟାନ୍ସରମାନେ ସବୁ ସୀମା ଲଂଘି ଯେଉଁ ଅଶ୍ଳୀଳତା ପରିବେଷଣ କରୁଛନ୍ତି ତାକୁ ନେଇ ନିରାଶ ହୋଇଛନ୍ତି ଦର୍ଶକ । ଶେଷରେ ଟପ ଲିଷ୍ଟରେ ରହିଛନ୍ତି ନିଶା ମହାରଣା, ସାହୁ ଭାଉଜ ଆଉ ରାଣୀ ପ୍ରିୟଦର୍ଶୀନି । ଅଧିକ ପଇସା ପାଇବା ଓ ଲୋକଙ୍କ ଡିମାଣ୍ଡ ପାଇଁ ଏଭଳି ଅଶ୍ଳୀଳତା ପ୍ରଦର୍ଶନ କରୁଥିବା କହିଥିଲେ ନିଶା । ମାତ୍ର ବରିଷ୍ଠ ଓ ଶିକ୍ଷିତ ବର୍ଗ ପାଇଁ ନିଶାଙ୍କ କଥା ଗ୍ରହଣୀୟ ନଥିଲା । ତେଣୁ ନିଶାଙ୍କୁ ବିରୋଧ କରିଥିଲେ ଦର୍ଶକ । ପରିଣାମ ସ୍ବରୁପ ଏବେ ନିଶା ମହାରଣା ଓ ସାହୁ ଭାଉଜଙ୍କୁ ଖଣ୍ଡଗିରି ମନା ହୋଇଛି । ଖଣ୍ଡଗିରି ଯାତ୍ରାରେ ପଶି ପାରିବେନି ଏହି ଆଇଟମ ଡ୍ୟାନ୍ସର । ରାଣୀ ପଣ୍ଡାଙ୍କ ପରେ ଏବେ ନିଶା ମହାରଣା, ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀଙ୍କ ଉପରେ ଲାଗିଲା ରୋକ । ଖଣ୍ଡଗିରିକୁ ଏହି ୩ ଜଣ ଆଇଟମ୍ ଡ୍ୟାନ୍ସରଙ୍କୁ ବ୍ୟାନ୍ କରାଯାଇଛି । ଯାତ୍ରା କମିଟି ପକ୍ଷରୁ ଏ ନେଇ ନିଷ୍ପତ୍ତି ନିଆଯାଇଛି । ଏ ବର୍ଷ ଖଣ୍ଡଗିରିରେ ନାଚି ପାରିବେ ନାହିଁ ଆଇଟମ୍ ଡ୍ୟାନ୍ସର ନିଶା ମହାରଣା, ଭାଗ୍ୟଶ୍ରୀ ସାହୁ ଓରଫ ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀ । ବାହାର ଆଇଟମ ଡ୍ୟାନ୍ସରଙ୍କୁ ଏଥର ଖଣ୍ଡଗିରି ମନା । ଯାତ୍ରା କମିଟି ଏହି ନିଷ୍ପତ୍ତି ନେଇଛି । ଖଣ୍ଡଗିରି ଥାନାରେ ପୋଲିସ ସହିତ ବୈଠକ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବାହାର ଆଇଟମ୍ ଡ୍ୟାନ୍ସରଙ୍କୁ ଖଣ୍ଡଗିରି ମନା ନେଇ ଥାନା ପକ୍ଷରୁ ମଧ୍ୟ ଯାତ୍ରା କମିଟିକୁ ସିଧା ସିଧା ଜଣାଇ ଦିଆଯାଇଛି । ଆସନ୍ତା ଫେବ୍ରୁଆରୀ ୬ ତାରିଖରୁ ୧୭ ତାରିଖ ଯାଏ ଚାଲିବ ଖଣ୍ଡଗିରି ମେଳା । ଆଉ ଅନେକ ଯାତ୍ରା ପାର୍ଟି ନାଟକ ପରିବେଶଣ କରିବେ । ପାଖାପାଖି ୧୩ରୁ ୧୪ଟି ଅପେରା ପାର୍ଟି ପଡିବ । କିନ୍ତୁ ନିଶା ମହାରଣା, ସାହୁ ଭାଉଜ ଏବଂ ରାଣୀ ପ୍ରିୟଦର୍ଶିନୀଙ୍କୁ ଖଣ୍ଡଗିରିରେ ପୂରାଇ ଦିଆଯିବ ନାହିଁ । ସୂଚନା ଅନୁସାରେ, କିଛି ବର୍ଷ ପୂର୍ବରୁ ଆଇଟମ୍ ଡ୍ୟାନ୍ସର ତଥା ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବା ଏବଂ ଦର୍ଶକଙ୍କ କାନ କାମୁଡିବା ଭଳି ମାମଲା ସାରା ଓଡ଼ିଶାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଆଉ ତୁରନ୍ତ ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିକୁ ବ୍ୟାନ୍ କରାଯାଇଥିଲା । ଗତ କିଛି ବର୍ଷ ଧରି ରାଣୀ ପଣ୍ଡାଙ୍କୁ ଖଣ୍ଡଗିରିରେ ପଶିବା ପାଇଁ ବି ଅନୁମତି ମିଳିନଥିଲା । ଏପରିକି ତାଙ୍କ ନାଁ ରେ ଯାତ୍ରା ମଧ୍ୟ ତିଆରି ହୋଇଥିଲା । ଯାହାର ନାଁ ଥିଲା “ରାଣୀ ପଣ୍ଡାଙ୍କୁ ଖଣ୍ଡଗିରି ମନା” । ଅବଶ୍ୟ ଗତ ୨ ବର୍ଷ ହେଲା ରାଣୀ ପଣ୍ଡା ଖଣ୍ଡଗିରିରେ ଯାତ୍ରା ପରିବେଶଣ କରୁଛନ୍ତି । ଆଉ ଏଥର ଆଇଟମ୍ ଡ୍ୟାନ୍ସର ଭାବେ ନୁହେଁ ବରଂ ଜଣେ ଅଭିନେତ୍ରୀ ଭାବେ ଯାତ୍ରାରେ ନଜର ଆସୁଛନ୍ତି । ଏବେ ଏହି ୩ ଜଣ ଆଇଟମ୍ ଡ୍ୟାନ୍ସରଙ୍କୁ ଖଣ୍ଡଗିରିରୁ ବ୍ୟାନ୍ କରାଯିବା ପରେ ଅପେରା ପାର୍ଟିଙ୍କ ବ୍ୟବସାୟ ଘାଟା ହେବ ବୋଲି କୁହାଯାଉଛି ।