ମୟୂରଭଞ୍ଜ ଜିଲ୍ଲାର ଗୌରବଜ୍ଜଳ ଇତିହାସ ସର୍ବଜନ ବିଦିତ। ଓଡ଼ିଶା ମାଟିକୁ ବିଭିନ୍ନ କ୍ଷେତ୍ରରେ ମୟୂରଭଞ୍ଜର ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଭୁବନେଶ୍ୱର୍ ଠାରେ ଆୟୋଜିତ ମୟୂରଭଞ୍ଜ ଉତ୍ସବ ଅବସରରେ କହିଛନ୍ତି।
ଭୁବନେଶ୍ୱର ଉତ୍କଳ ମଣ୍ଡପ ଠାରେ ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ପ୍ରଥମେ ମୟୂରଭଞ୍ଜ ର ମହାନୁଭବ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ଙ୍କ 150ତମ ଜନ୍ମ ତିଥି ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ, ଇଂରେଜ ଶାସନ କାଳରେ ମୟୂରଭଞ୍ଜ ରାଜ୍ୟର ବହୁ ଉନ୍ନତିମୂଳକ କାର୍ଯ୍ୟ ରାଜ ପରିବାର ଦ୍ଵାରା ସମାପନ ହୋଇଥିଲା। ଆଜି ପୂର୍ବ ଭାରତରେ ସୁଖ୍ୟାତି ଅର୍ଜନ କରିଥିବା କଟକ ବଡ଼ ମେଡ଼ିକାଲ ଓଡ଼ିଶାର ବରପୁତ୍ର ମୟୂରଭଞ୍ଜର ସୁନାମଧନ୍ୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଅନନ୍ୟ ଅବଦାନ। ରେଭେନ୍ସା ମହାବିଦ୍ୟାଳୟ ପ୍ରତିଷ୍ଠା ଓ କାର୍ଯ୍ୟକାରିତା ପାଇଁ ଭଞ୍ଜ ରାଜ ପରିବାରର ଅବଦାନ ରହିଛି। ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ମଧ୍ୟ ତତ୍କାଳୀନ ମୟୂରଭଞ୍ଜ ମହାରାଜା ପୂର୍ଣ୍ଣ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରଚେଷ୍ଟାରେ ହିଁ ସମ୍ଭବ ହୋଇଥିଲା।
ସେ ପୁଣି କହିଥିଲେ ମୟୂରଭଞ୍ଜ ଜିଲ୍ଲାର ସୁକନ୍ୟା ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶର ପ୍ରଥମ ନାଗରିକ ଭାବେ ସେବା କରି ଆଜି ମୟୂରଭଞ୍ଜ ସହିତ ଓଡ଼ିଶାର ଗର୍ବ ଓ ଗୌରବ କୁ ଅନେକ ଗୁଣରେ ବୃଦ୍ଧି କରିଛନ୍ତି। ମୟୂରଭଞ୍ଜ ମାଟି ହେଉଛି କଳା ଓ ସଂସ୍କୃତିର ମାଟି। ଏ ଜିଲ୍ଲା ଅନେକ ଯଶସ୍ୱୀ କବି, କଳାକାର, ଜନନେତା, କ୍ରୀଡାବିତ୍, ଶିକ୍ଷାବିତ୍ ଙ୍କୁ ଜନ୍ମଦେଇ ଓଡ଼ିଶାକୁ ମହିମା ମଣ୍ଡିତ କରିଛି। ମୟୂରଭଞ୍ଜ ର ଛଉ ନୃତ୍ୟ ପାଇଁ ଓଡିଶା ଗର୍ବିତ। ମୟୂରଭଞ୍ଜ ରେ ଛଉ ନୃତ୍ୟର ଲୋକପ୍ରିୟତା ଓ ଜିଲ୍ଲା ବାସୀଙ୍କ ଦାବିକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜରେ ଛଉ ଏକାଡେମୀ ଓ ସାଂସ୍କୃତିକ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ଘୋଷଣା କରିଥିଲେ।