ନିର୍ବାଚନ ପାଇଁ ଶେଷ ପର୍ଯ୍ୟାୟ ପ୍ରଚାର ଚାଲିଥିବା ବେଳେ ଯମୁନା ପ୍ରଦୂଷଣକୁ ନେଇ ଜୋରଦାର ରାଜନୀତି ହେଉଛି । ପ୍ରଥମେ କେଜ୍ରିଓ୍ବାଲ ହରିୟାଣା ସରକାର ଯମୁନା ପାଣିରେ ବିଷ ମିଶାଉଥିବା ଅଭିଯୋଗ ଆଣିଲେ । ପରେ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପିର ବହୁ ବରିଷ୍ଠ ନେତା କେଜ୍ରିଓ୍ବାଲଙ୍କୁ ସିଧା ଟାର୍ଗେଟ୍ କରିଛନ୍ତି । ଖାଲି ସେତିକି ନୁହେଁ ଦିଲ୍ଲୀ ହରିୟାଣା ସୀମାରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି ଯମୁନାରୁ ପାଣି ନେଇ ପିଇଛନ୍ତି । ତେବେ ସୈନି ଭିଡିଓ ଜାରି କରିବା ପରେ ସେ ପାଣି ପିଇବା ପରି କେବଳ ଅଭିନୟ କରୁଥିବା କହିଛି ଆପ୍ । ସୈନି ପାଣି ଢୋକି ନାହାନ୍ତି ବରଂ ମୁହଁରେ ନେଇ ପାଣି ପୁଣି ଯମୁନାରେ ପକାଇଥିବା କହି ସମାଲୋଚନା କରିଛି ଆପ୍। ଯମୁନାକୁ ନେଇ କେଜ୍ରିଓ୍ବାଲଙ୍କ ବୟାନ ବିବାଦର ରୂପ ନେଇଛି । ହରିୟାଣାର ଏକ କୋର୍ଟ କେଜ୍ରିଓ୍ବାଲଙ୍କୁ ସମନ୍ କରିଛନ୍ତି ତ ନିର୍ବାଚନ କମିଶନ ଯମୁନାରେ ପ୍ରଦୂଷିତ ପାଣି ନେଇ ପ୍ରମାଣ ମାଗିଛନ୍ତି । ତେବେ ଇସିଙ୍କୁ ଉତ୍ତରରେ କୌଣସି ଆଇନର ଉଲ୍ଲଂଘନ କରିନଥିବା କହିଛନ୍ତି କେଜ୍ରିଓ୍ବାଲ। ତେବେ ପୁଣି ଥରେ ନିର୍ବାଚନ କମିଶନ ତାଙ୍କୁ ଯମୁନାରେ ବିଷ ନେଇ ନିର୍ଦ୍ଧିଷ୍ଟ ଭାବେ ଉତ୍ତର ରଖିବାକୁ ୩୧ତାରିଖ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ପୂର୍ବରୁ ରାହୁଲ ଗାନ୍ଧୀ ଓ କେନ୍ଦ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଯମୁନା ପାଣି ପିଇବାକୁ ଚ୍ୟାଲେଞ୍ଜ କରିଥିଲେ କେଜ୍ରିଓ୍ବାଲ । ତେବେ ଯମୁନା ସଫେଇ ନେଇ ବିଜେପି ଓ କଂଗ୍ରେସ ଓଲଟା କେଜ୍ରିଓ୍ବାଲଙ୍କୁ ଘେରିଛନ୍ତି । ରାହୁଲ ଗାନ୍ଧୀ ତାଙ୍କୁ ଯମୁନା ପାଣିରେ ବୁଡ ପକାଇ ଦେଖାଇବାକୁ ପାଲଟା ଚ୍ୟାଲେଞ୍ଜ ଦେଇଛନ୍ତି ।