ଖଡ଼ିଆଳ ବ୍ଲକ ଦାବ୍ରି ଗ୍ରାମ ପଞ୍ଚାୟତର କୋଦାଲ ଡୁଙ୍ଗରି ଗ୍ରାମ। ଏହି ଗ୍ରାମର ମାଆ ଶାନ୍ତିଲତା ମାଝୀ ଓ ବାପା ଶଙ୍କର ଲାଲ ମାଝୀଙ୍କ ପୁଅ ସୁଦେବ ମାଝୀ। ସବୁ ବର୍ଷ ଦାଦନ ଯାଇ ପରିବାର ଚଲାଉ ଥିଲେ। ଗତ ବର୍ଷ ଜୁନ ମାସରେ ଆନ୍ଧ୍ର ପ୍ରଦେଶ ରୁ ଫେରି ଆସିଥିଲେ। କିଛି ଦିନ ପରେ ଜୁନ ୨୨ ତାରିଖ ଦିନ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିକୁ ନିଜର ସଂପର୍କୀୟଙ୍କ ଘର ବୁଲିବା ପାଇଁ ଯାଇ ଫେରୁଥିବା ବେଳେ ପଦ୍ମପୁର ନିକଟରେ ଏକ କାର ତାଙ୍କ ବାଇକ୍ କୁ ପିଟି ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଖଡ଼ିଆଳ ମିଶନ ହସ୍ପିଟାଲ ଓ ପରେ ରାୟପୁର ସ୍ଥିତ ମାଆ ନାରାୟଣୀ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାୟ ଛଅ ମାସ ରହିବାକୁ ପଡ଼ିଲା ଓ ବିଜୁ ସ୍ବାସ୍ଥ୍ୟ କାର୍ଡ ର ଟଙ୍କା ସରିବା ପରେ ନିଜର ପାଞ୍ଚ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଗଲା। ସୁଦେବଙ୍କ ବାପା ନିଜର ଜମିବାଡ଼ି, ସୁନା ରୂପା ବିକିବା ସହ ବନ୍ଧୁ ବାନ୍ଧବଙ୍କ ଠାରୁ କରଜ ଭାବରେ ଟଙ୍କା ଆଣିଲେ। ଡାକ୍ତର ପ୍ରଥମେ ଭଲ ହୋଇଯିବ ଓ ଗୋଡ ର କ୍ଷତି ହେବନାହିଁ କହୁଥିଲେ କିନ୍ତୁ ସଂକ୍ରମଣ ବଢିବାରୁ ଗୋଡ କାଟିବାକୁ କହିଲେ। ଡାହାଣ ଗୋଡ କଟା ହେଲା ପରେ ଜୀବନର ସବୁ ଆଶା ଯେମିତି ଶେଷ ହୋଇଗଲା ସୁଦେବଙ୍କର। ଏଇ କିଛି ଦିନ ହେଲା ସେ ଘର ଆସିଛନ୍ତି। ତାଙ୍କର ଡାହାଣ ହାତ ମଧ୍ୟ ଅପରେସନ ହୋଇଛି ଓ ଲୁହା ରଡ଼ ଲାଗିଛି। ଫଳରେ ସେ ଠିକ୍ ଭାବରେ ଖାଇ ପାରୁ ନାହାନ୍ତି। ମାଆ ନିଜ ହାତରେ ଖୁଆଇ ଦେଉଛନ୍ତି।
ସୁଦେବଙ୍କ ପାଇଁ ବର୍ତ୍ତମାନ ମାଆ ବାପା ହିଁ ଭରସା । ସୁଦେବଙ୍କ ଗୋଟିଏ ଭାଇ ଓ ଗୋଟିଏ ଭଉଣୀ। ଭଉଣୀର ବାହାଘର ହୋଇ ସାରିଛି। ଭାଇ ର ବୟସ ଅଠର ବର୍ଷ, ସେ କିନ୍ତୁ ପରିବାର ପ୍ରତିପୋଷଣ ପାଇଁ ଏବର୍ଷ ହାଇଦ୍ରାବାଦ ଯାଇଛନ୍ତି ଇଟା ଗଢ଼ିବା ପାଇଁ। ବାପା ମାଆ ଏବେ ବୟସର ଅପରାହ୍ନରେ। ସେମାନେ ପାଚିଲା ପତର, କେତେବେଳେ ଝଡି ଯିବେ କିଏ କହି ପାରିବ।ତାଙ୍କ ପରେ ପୁଅ କେମିତି ବଞ୍ଚିବ ସେଇ ଚିନ୍ତାରେ ନିଦ ନାହିଁ ମାଆ ଶାନ୍ତି ମାଝୀଙ୍କର। ସୁଦେବକୁ ଏକ କୂତ୍ରିମ ଗୋଡ ସହ ଭତ୍ତା, ଘର ଆଦି ଯୋଗାଇ ଦେବାକୁ ଦାବି ହେଉଛି। ଏନେଇ ଖଡ଼ିଆଳ ବିଡ଼ିଓ ନରସିଂହ ଗାଦବାଙ୍କୁ ପଚାରିବାରୁ ସେ ବି ଏସ ଏସ ଓ ଙ୍କୁ ତଦନ୍ତ ପାଇଁ ପଠାଇବେ ଓ ନିୟମ ମୁତାବକ ସବୁ ସରକାରୀ ସହଯୋଗ ଯୋଗାଇ ଦିଆଯିବ ବୋଲି କହିଛନ୍ତି।