ନୀତି ଆୟୋଗଙ୍କ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ଓଡିଶା ପ୍ରଥମ ସ୍ଥାନ ପାଇଛି। ଏନେଇ ନୀତି ଆୟୋଗ ରିପୋର୍ଟ ଜାରୀ କରିବା ପରେ ସୋସିଆଲ ମିଡ଼ିଆରେ ଖୁସିବ୍ୟକ୍ତ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେପଟେ ବିଜେଡି କହିଛି ଏହି ସଫଳତା ନବୀନଙ୍କ ସୁଶାସନର ପ୍ରତିଫଳନ। ରାଜ୍ୟର ଋଣଭାର ହ୍ରାସ ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟର ବିକାଶ ପାଇଁ ରାଜସ୍ୱ ବ୍ୟୟରେ 33.8 ପ୍ରତିଶତ ହାରରେ ବୃଦ୍ଧି ନବୀନଙ୍କ ସଫଳତା ବୋଲି କହିଛନ୍ତି ବିଜେଡି ନେତା ସଂତୃପ୍ତ ମିଶ୍ର। ତେଣୁ ବିଜେପିର ଅଭିଯୋଗ, ଚବିଶ ବର୍ଷରେ କିଛି ହୋଇନାହିଁ ଉକ୍ତି ଭୁଲ ପ୍ରମାଣିତ ବୋଲି ସେ କହିଛନ୍ତି। ଆହୁରୀମଧ୍ୟ କହିଛନ୍ତି ଆର୍ଥିକ ସୂଚକାଙ୍କ 2025 ନୀତି ଆୟୋଗ ରିପୋର୍ଟ ଓଡିଶାର ଗର୍ବ ଓ ପ୍ରତିଷ୍ଠାକୁ ବଢ଼େଇ ଦେଇଛି। ଦେଶର ବିଭିନ୍ନ ରାଜ୍ୟର 2022/23 ଅର୍ଥନୈତିକ ପରିସ୍ଥିତିର ଅଧ୍ୟୟନ ପରେ ନୀତି ଆୟୋଗ ଏହି ସୂଚୀ ଜାରୀ କରିଛି । ନୀତି ଆୟୋଗଙ୍କ ରିପୋର୍ଟ ଅନୁଯାୟୀ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କୁ ପଛକୁ ଛାଡି ସମଗ୍ର ଦେଶରେ ବିତ୍ତୀୟ ସ୍ୱାସ୍ଥ୍ୟ ସୂଚୀରେ ପ୍ରଥମ ସ୍ଥାନ ଅଧିକାର କରିଛି । ଅନ୍ୟାନ୍ୟ ବିକଶିତ ରାଜ୍ୟ ଓଡିଶା ପଛରେ ରହିଛନ୍ତି। ଏହି ସୂଚୀ ଅନୁଯାୟୀ ଯେଉଁ ରାଜ୍ୟ 50 ପଏଣ୍ଟରୁ ଅଧିକ ରଖିଛନ୍ତି, ସେମାନଙ୍କୁ ନୀତି ଆୟୋଗଙ୍କ ଦ୍ଵାରା ଆଚିଭର ଶ୍ରେଣୀରେ ରଖାଯାଇଛି । ଭାରତବର୍ଷର ମାତ୍ର 6ଟି ରାଜ୍ୟ ଆଚିଭର ଶ୍ରେଣୀରେ ଅଛନ୍ତି । ଓଡିଶା ସେହି 6 ରାଜ୍ୟ ମଧ୍ୟରୁ ଗୋଟେ । ଓଡିଶା ସବୁଠାରୁ ଆଗରେ ରହିଛି।
ସଂତୃପ୍ତ ଆହୁରି ମଧ୍ୟ କହିଛନ୍ତି, ନବୀନ ପଟ୍ଟନାୟକ ରାଜ୍ୟର ଶାସନ ଭାର ଗ୍ରହଣ କରିବା ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଦୟନୀୟ ଥିଲା। ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶାକୁ ନୀତି ଆୟୋଗ ଭଳି କେନ୍ଦ୍ରୀୟ ସଂସ୍ଥାରୁ ପ୍ରଶଂସା ମିଳୁଛି। ନବୀନ ସରକାରଙ୍କ 24 ବର୍ଷର ଶାସନ କାଳରେ ଓଡ଼ିଶାର କିଛି ବିକାଶ ହୋଇନାହିଁ ବୋଲି ଦାବି କରୁଛି ବିଜେପି । ନବୀନ ସରକାରଙ୍କ କାମକୁ ନାମ ଓ ରଙ୍ଗ ପରିବର୍ତ୍ତନ କରୁଥିବା ବିଜେପି ସରକାର ଆଜିର ଏହି ଉପଲବ୍ଧିକୁ ଓଡିଶାବାସୀଙ୍କ ସମ୍ମୁଖରେ ସ୍ୱୀକାର କରିବାର ଆବଶ୍ୟକତା ଅଛି ।