ମାଘ ମାସରେ ଶୀତ ଉଭାନ, ଟ୍ୱିନସିଟିରେ ଘନ କୁହୁଡ଼ି ଆସ୍ତରଣ । ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଭୋର ସମୟରେ ଘନ କୁହୁଡ଼ି ଦେଖିବାକୁ ମିଳଇଥିଲା । ୧୦୦ ମିଟର ଯାଏଁ କିଛି ଦୃଶ୍ୟମାନ ହେଉନଥିଲା । ଯାହାଦ୍ବାରା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ଜନ ସାଧାରଣ । ଘନ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ବାଧା ଉପୁଜିଛି। ଦୃଶ୍ୟମାନ ଦୂରତା କମ୍ ଥିବାରୁ ଲୋକେ ଯିବା ଆସିବା କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବିମାନ ଓ ରେଳ ସେବା ମଧ୍ୟ ପ୍ରଭାବିତ ହୋଇଛି।
ସେପଟେ ପରିସ୍ଥିତି ଏଭଳି ଥିଲା ଯେ ଲୋକେ ଗାଡ଼ି ଲାଇଟ୍ ଜଳାଇ ଯାତାୟତ କରୁଥିଲେ । ତେବେ ଖାଲି ସେତିକି ନୁହେଁ, ଅଧିକ କୁହୁଡ଼ି ପାଇଁ ବିମାନବନ୍ଦରରୁ ଉଡ଼ାଣ ଭରିବାକୁ ଥିବା ପ୍ରାୟ ବିମାନ ବିଳମ୍ବରେ ଛାଡ଼ିଥିଲା । ଘଣ୍ଟା ଘଣ୍ଟା ଧରି ବିମାନବନ୍ଦରରେ ଅପେକ୍ଷା କରି ରହିଥିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା।
ଅନ୍ୟପଟେ ମାଘ ମାସ ସତ୍ତ୍ବେ ଟାଣ ଖରା ସାଙ୍ଗକୁ ଗୁଳୁଗୁଳି ଜାରି ରହିଛି । ଦୀର୍ଘ ୫୨ ବର୍ଷ ପରେ କୋରାପୁଟରେ ଚଳିତବର୍ଷ ଜାନୁଆରିର ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ସର୍ବୋଚ୍ଚ ତାପମାତ୍ରା ୩୩.୨ ଡିଗ୍ରି ରହିଥିଲା। ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଏହାପରେ ପାରଦ ତଳ ମୁହାଁ ହେବାକୁ ଥିଲେ ମଧ୍ୟ ଶୀତ ଅନୁଭବ ହେବନି।