ବିଜୁ ବାବୁଙ୍କ ନାଁ ଲିଭାଇଦେବ ପିଏମ ଆବାସ ଯୋଜନା । କାରଣ ଆରମ୍ଭ ହେବ ପିଏମ ଆବାସ ସର୍ଭେ । ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ। ସେ କହିଛନ୍ତି, ଏଥିଲାଗି ଉଭୟ ଅଫଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ପିଏମ ଆବାସ ସର୍ଭେ । ୨୪ରେ ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର ।
ଦେଢ଼ରୁ ୨ ମାସ ଚାଲିବ ଆବାସ ସର୍ଭେ । ଏଥିପାଇଁ ବିଭାଗ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି । ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ବିଜୁ ପକ୍କାଘର ଆଉ ନାହିଁ । ବିଜୁ ପକ୍କାଘରର ଛାପା ବା ସିଲଟ ଯେଉଁ ଘର ଆଗରେ ଅଛି, ଖୁବଶୀଘ୍ର ଲୋକେ ତାକୁ ହଟେଇଦେବେ । ବିଜୁ ପକ୍କା ଘର କୋଉଠି ଥିଲା ? ୩ ଲକ୍ଷ ୧୨ ହଜାର ଦେଇଥିଲେ, କିନ୍ତୁ ବାହା ବାହା ନେଉଥିଲା ପୂର୍ବ ସରକାର।
ତେବେ ପୂର୍ବରୁ ବାଇକ୍, ଫ୍ରିଜ୍ ଓ ଲ୍ୟାଣ୍ଡଲାଇନ ଫୋନ୍ ଥିଲେ ଆବାସ ଘର ମିଳିବନି ବୋଲି ନିୟମ ଥିଲା। କିନ୍ତୁ ଏହାକୁ ବଦଳା ଯାଇଛି । ଏ ସବୁ ଥିଲେ ବି ଆବାସ ଘର ଦିଆଯିବ। ପୂର୍ବରୁ ପରିବାରର ମାସିକ ଆୟ ସୀମା ସର୍ବାଧିକ ୧୦ ହଜାର ରହିଥିଲା । ଏହାକୁ ୧୫ ହଜାର କରାଯାଇଛି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ କହିଛନ୍ତି। ଏହି ଯୋଜନାରେ ଦିବ୍ୟାଙ୍ଗ ଓ ବିଧବାମାନଙ୍କୁ ଅଗ୍ରାଧିକାର ଦିଆଯିବ।
୨ ମାସ ମଧ୍ୟରେ ଏହାର ରି-ସର୍ଭେ କରାଯିବ । ଏହି ଅବଧି ମଧ୍ୟରେ ଆବେଦନ ଓ ଅନଲାଇନ୍ ମାଧ୍ୟମରେ ସେସବୁର ଯାଞ୍ଚ୍ କରାଯିବ। ଆବାସ ଘର ବଣ୍ଟାରେ ଏଣିକି ରାଜନୈତିକ ହସ୍ତକ୍ଷେପ ହେବ ନାହିଁ । ଯୋଗ୍ୟ ହିତାଧିକାରୀକୁ ଆବାସ ଘର ଦେବାରୁ କେହି ଅଟକାଇ ପାରିବେ ନାହିଁ ।