ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା । ପ୍ରତି ବର୍ଷ ନୁହେଁ ବରଂ ପ୍ରତି ମାସରେ ସରକାର ଦେବେ ଏହି ଅର୍ଥ ରାଶି । ଏଭଳି ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଗକୁ ଆସୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ । ବିଭିନ୍ନ ରାଜନୈତିକ ଦଳ ପ୍ରାର୍ଥୀ ଘୋଷଣା କରିବା ଜାରି ରଖିଛନ୍ତି । ଫେବ୍ରୁଆରୀ ୫ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟଗ୍ରହଣ ହେବାକୁ ଯାଉଛି । ତେବେ ଏହା ପୂର୍ବରୁ ବିଭିନ୍ନ ରାଜେନୖତିକ ଦଳମାନେ ସଂକଳ୍ପ ପତ୍ର ଷୋଷଣା କରିବା ଜାରି ରଖିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ବିଜେପିର ମାନିଫେଷ୍ଟୋ ଜାରି କରିଛନ୍ତି । ଏଥର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାଣକୁ ଆସିଲେ ଅନେକ ଯୋଜନା ଲାଗୁ କରାଯିବା ସହିତ ମହିଳାଙ୍କୁ ବିଶେଷ ସହାୟତା ମିଳିବ । ଯଦି ଦିଲ୍ଲୀରେ ବିଜେପି ସରକାରକୁ ଆସେ ତେବେ ମହିଳାଙ୍କୁ ମିଳିବ ୨୫୦୦ ଟଙ୍କା । ପ୍ରତି ମାସରେ ମହିଳାଙ୍କୁ ମିଳିବ ୨ ହଜାର ୫୦୦ ଟଙ୍କା । ସରକାରକୁ ଆସିବାର ପ୍ରଥମ କ୍ୟାବିନେଟ୍ ବୖଠକରେ ହିଁ ମହିଳା ସମୃଦ୍ଧି ଯୋଜନାକୁ ମିଳିବ ମଞ୍ଜୁରୀ । ସେହିଭଳି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କୁ LPG ଗ୍ୟାସ ସିଲିଣ୍ଡରରେ ୫୦୦ ଟଙ୍କା ପର୍ଯ୍ୟନ୍ତ ସବସିଡି ମିଳିବ । କେବଳ ସେତିକି ନୁହେଁ ପ୍ରତ୍ୟେକ ମହିଳାଙ୍କୁ ବର୍ଷକୁ ୨ ଥର ମାଗଣା ଗ୍ୟାସ ସିଲିଣ୍ଡର ମିଳିବ । ଦିଲ୍ଲୀର ପ୍ରତ୍ୟେକ ମହିଳା ବର୍ଷକୁ ଦୁଇ ଥର ଅର୍ଥାତ ହୋଲି ଏବଂ ଦିଓ୍ବାଲୀରେ ମାଗଣା ଏଲପିଜି ଗ୍ୟାସ ପାଇବେ । ସେହିଭଳି ମାତୃତ୍ବ ସୁରକ୍ଷା ବନ୍ଧନ ଯୋଜନାରେ ଗର୍ଭବତୀ ମହିଳାଙ୍କୁ ମିଳିବ ଆର୍ଥିକ ସହାୟତା । ଗର୍ଭବତୀ ମହିଳାଙ୍କୁ ମୁଖ୍ୟମନ୍ତ୍ରୀ ଫଣ୍ଡରୁ ୨୧ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହିତ ୬ଟି ନ୍ୟୁଟ୍ରିସନାଲ କିଟ୍ ପ୍ରଦାନ କରାଯିବ । ମାନିଫେଷ୍ଟୋରେ ବିଜେପି ଘୋଷଣା କରିଛି ଯେ, ଯଦି ଦଳ ଦିଲ୍ଲୀରେ ସରକାରକୁ ଆସେ ତେବେ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ । ଯାହା ଫଳରେ ୫୧ ଲକ୍ଷ ଲୋକ ଉପକୃତ ହେବେ । କେବଳ ସେତିକି ନୁହେଁ ନଡ୍ଡା କହିଛନ୍ତି, ବୟସ୍କ ବ୍ୟକ୍ତିଙ୍କ ପେନସନ ରାଶି ବଢାଯିବ । ୬୦ ବର୍ଷରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଭତ୍ତା ରାଶି ୨୦୦୦ ଟଙ୍କାରୁ ୨୫୦୦ ଟଙ୍କାକୁ ବୃଦ୍ଧି କରାଯିବ । ସେହିଭଳି ୭୦ ବର୍ଷ କିମ୍ବା ତଦୁର୍ଦ୍ଧ୍ବ ବୟସ୍କ ବ୍ୟକ୍ତି ଯେଉଁମାନେକି ଏବେ ୨୫୦୦ ଟଙ୍କା ଭତ୍ତା ପାଉଛନ୍ତି ସେମାନେ ୩ ହଜାର ଟଙ୍କା ପାଇବେ । ଏ ନେଇ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।