ଭୁବନେଶ୍ୱର- ସଡ଼କ ଦୁର୍ଘଟଣାରେ ଆପାତକାଳୀନ ଚିକିତ୍ସା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗକୁ ବଢିଛି। ଓଡ଼ିଶା ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ସଡ଼କ ଦୁର୍ଘଟଣାରେ ତ୍ଵରିତ ଚିକିତ୍ସା ଯୋଗାଇ ଦେବା ପାଇଁ ଏକ ବୈଠକରେ ସମୀକ୍ଷା କରିଛନ୍ତି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ସଚିବ ଏମ୍ ଅଶ୍ଵଥି, ପରିବହନ କମିଶନର ଅମିତାଭ ଠାକୁର ଓ ଆଇଆଇଟି ମାଡ୍ରାସର ସଡ଼କ ସୁରକ୍ଷା କେନ୍ଦ୍ରର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣ୍ୟମ୍ ଉପସ୍ଥିତ ଥିଲେ।
ପ୍ରଫେସର ଭେଙ୍କଟେଶ ବାଲାସୁବ୍ରମଣ୍ୟମ୍ ଜରୁରୀକାଳୀନ ଚିକିତ୍ସାକୁ ଗୁରୁତ୍ୱ ଦେଇ କହିଥିଲେ, ଯେଉଁ ସବୁ ସୁବିଧା ଅଛି ସେ ସବୁର ନବୀକରଣ କରାଯିବାର ଆବଶ୍ୟକତା ରହିଛି। ଟ୍ରମା କେୟାର କେନ୍ଦ୍ରଗୁଡ଼ିକରେ ଉନ୍ନତ ଲାଇଫ ସପୋର୍ଟ ସିଷ୍ଟମ ବୃଦ୍ଧି କରିବାକୁ ପଡ଼ିବ। ସେହିପରି ଚିକିତ୍ସା ସେବାରେ ଠିକ୍ ସମୟରେ ସୁବିଧା ସୁନିଶ୍ଚିତ କରିବା ପାଇଁ ଟ୍ରମା କେୟାର ସେଣ୍ଟରଗୁଡ଼ିକ ବୃଦ୍ଧି ହେବା ଉଚିତ୍। ଏଥିସହ ଟ୍ରମା କେୟାରରେ ଡାକ୍ତରୀ କର୍ମଚାରୀଙ୍କୁ ସ୍ବତନ୍ତ୍ର ତାଲିମ ଯୋଗାଇବାର ଆବଶ୍ୟକତା ରହିଛି।
ଏ ସବୁ ବ୍ୟତୀତ ଅନ୍ୟାନ୍ୟ ଦିଗରେ ମଧ୍ୟ ଆଲୋଚନା କରଯାଇଥିଲା। ଯେମିତିକି ହସ୍ପିଟାଲ ଯିବା ପୂର୍ବର ସେବାକୁ ଗୁରୁତ୍ବ ଦିଆଯିବ। ଜରୁରୀକାଳୀନ ଚିକିତ୍ସା ସେବା ଏବଂ ଆମ୍ବୁଲାନ୍ସ ସୁବିଧାକୁ ତ୍ଵରିତ କରାଯିବ। ସେହିପରି ଏହି ସମୟରେ ଶୀଘ୍ର ରେସପନ୍ସ କିଭଳି ମିଳିପାରିବ ସେ ନେଇ ମଧ୍ୟ ଗୁରୁତ୍ବ ଦିଆଯିବ। ଏ ସବୁ ସହ ସରକାରୀ ଏଜେନ୍ସି, ଚିକିତ୍ସା ପ୍ରତିଷ୍ଠାନ ଏବଂ ଜରୁରୀକାଳୀନ ସେବା ମଧ୍ୟରେ ସହଯୋଗ ଓ ସମନ୍ୱୟ କିଭଳି ରହିବ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ।
ଜୀବନ ବଞ୍ଚାଇବା ଦିଗରେ ଏକ ପଦକ୍ଷେପ | ଏହି ପଦକ୍ଷେପ କାର୍ଯ୍ୟକାରୀ କରି ମୃତ୍ୟୁ ହାର ହ୍ରାସ କରିବା ଏବଂ ସଡ଼କ ଦୁର୍ଘଟଣାରେ ପୀଡିତଙ୍କ ପାଇଁ ରୋଗୀର ତ୍ଵରିତ ଚିକିତ୍ସାକୁ ସୁଦୃଢ଼ କରିବା ଓଡ଼ିଶାର ଲକ୍ଷ୍ୟ। ଜରୁରୀକାଳୀନ ଆଘାତ ଚିକିତ୍ସା ବୃଦ୍ଧି ପାଇଁ ରାଜ୍ୟର ପ୍ରତିବଦ୍ଧତା ଏହାର ନାଗରିକଙ୍କ ସୁରକ୍ଷା ତଥା କଲ୍ୟାଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।
ଏହି ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ନୋଡାଲ ଅଧିକାରୀ ଗଙ୍ଗାଧର ସାହୁ, ଅତିରିକ୍ତ ପରିବହନ କମିଶନର ଲାଲ ମୋହନ ସେଠୀ, ଇନ୍ଦ୍ରମଣି ନାୟକ, ଦୀପ୍ତି ରଂଜନ ପାତ୍ର ଏବଂ ସ୍ୱାସ୍ଥ୍ୟ ଓ ପରିବହନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।